ନୂଆପଡା: ହାତରେ ଟାଙ୍ଗିଆ ଅଣ୍ଟାରେ ଗାମୁଛା । ସକାଳ ହେଲେ ଜଙ୍ଗଲକୁ ବାହାରି ପଡନ୍ତି ନୂଆପଡା କାପସି ଗାଁର ହୀରାଦ୍ରୀ ମାଝୀ । ତାଙ୍କୁ ଦେଖିଲେ ଲାଗେ ଯେମିତି ଡର କଣ ଭୟ କଣ ସେ ଯେମିତି ଜାଣି ନାହାନ୍ତି । ଦୀର୍ଘ 40 ବର୍ଷ ହେଲା 11 ଏକର ପରିମିତ କରାଡୁଙ୍ଗରି ଜଙ୍ଗଲକୁ ସୁରକ୍ଷା ଦେଇ ସେ ସାଜିଛନ୍ତି ବନରାଣୀ । ଏଭଳି କାର୍ଯ୍ୟ ପାଇଁ ସରକାରୀ ତଥା ବେଶରକାରୀ ସ୍ତରରେ ପୁରସ୍କାର ପାଇଛନ୍ତି ଆଦିବାସୀ ମହିଳା ହୀରାଦ୍ରୀ ମାଝି ।
ପିଲାଟି ଦିନରୁ ପରିବେଶ ପ୍ରେମୀ ଥିଲେ ହୀରାଦ୍ରୀ । ଅଙ୍ଗଦ ମାଝୀଙ୍କ ସହ ତାଙ୍କର ବିବାହ ପରେ ଉଭୟ ମିଶି ଚାଙ୍ଗରା ଭୂମିରେ ଜଙ୍ଗଲ ସୃଷ୍ଟି କରିବାକୁ ସଂକଳ୍ପ ନେଇଥିଲେ । ବିଳାସ ପୂର୍ଣ୍ଣ ଜୀବନକୁ ଭୁଲିଯାଇ କାପସି ନିକଟସ୍ଥ 11ଏକର ବିଶିଷ୍ଟ କରାଡୁଙ୍ଗରି ଲଣ୍ଡା ଜଙ୍ଗଲରେ ଗଛ ଲଗାଇ ସବୁଜ ବନାନୀ ସୃଷ୍ଟି କରିଥିଲେ ଉଭୟ । କିଛି ବର୍ଷ ସ୍ୱାମୀ ସ୍ତ୍ରୀ ଦୁହେଁ ଜଙ୍ଗଲ ସୁରକ୍ଷା ନେବା ପରେ ଅଙ୍ଗଦ ମାଝୀ ଅଜଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ । ଆଉ ସ୍ୱାମୀଙ୍କ ଦେହାନ୍ତ ପରେ ସଂକଳ୍ପ ରକ୍ଷା କରିବାପାଇଁ ହୀରାଦ୍ରୀ ମାଝୀ ନିରବଚ୍ଛିନ୍ନ ଭାବରେ ଗଛ ଲତାକୁ ନିଜର ସନ୍ତାନ ଭାବି କରାଡୁଙ୍ଗରି ଜଙ୍ଗଲକୁ ଏଯାବତ ସୁରକ୍ଷା ଦେଇ ଆସୁଛନ୍ତି । ସରକାରଙ୍କ କୌଣସି ସାହାଯ୍ୟ ସହାୟତାକୁ ଅପେକ୍ଷା ନକରି ଜଙ୍ଗଲର ଜନନୀ ସାଜିଛନ୍ତି ହିରାଦ୍ରୀ । କାନ୍ଦରେ ଟାଙ୍ଗିଆ ଅଣ୍ଟାରେ ଗାମୁଛା ବାନ୍ଧି ଟାଙ୍ଗରା ଜଙ୍ଗଲକୁ କରିଛନ୍ତି ଘଞ୍ଚ ଜଙ୍ଗଲ ।
ଦାରିଦ୍ର୍ୟତା କଷାଘାତରେ ପୀଡିତ ଥାଇ ମଧ୍ୟ ହିରାଦ୍ରୀ ମାଝୀ ସ୍ବାମୀଙ୍କ ସଂକଳ୍ପକୁ ରକ୍ଷା କରିବା ନେଇ କରିଥିଲେ ପଣ । ପୁଅ ବହୁ ନାତି ନାତୁଣୀ ସହିତ କାପସି କାରାଡୁଙ୍ଗରି କଡରେ ସରକାର ଦେଇଥିବା ଅର୍ଦ୍ଦନିର୍ମିତ ଆବାସ ଗୃହ ଚାରିକାନ୍ଥ ଭିତରେ ଗୁଜୁରାଣ ମେଣ୍ଟାଇ ଜଙ୍ଗଲକୁ କୋଳେଇ ଧରିଛନ୍ତି ସେ । ଜଙ୍ଗଲରେ ବଢି ଉଠିଛି ସାଗୁଆନ,କେନ୍ଦୁ,ଚାହାଁର,ଲିମ୍ବ ଧଉଁରା,ମହୁଳ ଭଳି ଅନେକ ଗଛ । ଜଙ୍ଗଲ ଉପରେ କେହି ଯଦି କାଠ ମାଫିଆ ମାନେ ଲୋଲୁପ ଦୃଷ୍ଟି ପକାନ୍ତି ତେବେ ତାଙ୍କୁ ଟାଙ୍ଗିଆ ଧରି ଗୋଡାଇଥାନ୍ତି ହୀରାଦ୍ରୀ । ତାଙ୍କର ଏଭଳି ବିରଳ କାମ ଯୋଗୁଁ 2006 ମସିହାରେ ସରକାରଙ୍କ ବନ ବିଭାଗ ପକ୍ଷରୁ ତାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି ।
2008 ମସିହାରେ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସୃତି ସମିତି ଭୁବନେଶ୍ୱର ଠାରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକଥର ସମ୍ମାନିତ ହୋଇଛି ହୀରାଦ୍ରୀ । ହେଲେ ସେସବୁ ପୁରସ୍କାର ସମ୍ମାନ ହୀରାଦ୍ରୀଙ୍କ ପାଇଁ ବୃଥା । ଟୋକେଇରେ ଭର୍ତ୍ତି କରି ଅସଜଡ଼ା ହୋଉ ପଡିଛି ନାମୀ ଦାମୀ ପୁରସ୍କାର । ରେଞ୍ଜର ହୀରାଦ୍ରୀର ଜଙ୍ଗଲ ସୁରକ୍ଷା କଥା ସ୍ଵୀକାର କରିବା ସହ ତାଙ୍କର ଏଭଳି ମନୋଭାବ ଯୋଗୁଁ ବନ ବିଭାଗ ମଧ୍ୟ ପ୍ରଶଂସା କରିଛି । ଆଗକୁ ତାଙ୍କର ସୁସ୍ଥ ଜୀବନ ଜୀବିକା ପାଇଁ ସରକାରୀ ସ୍ତରରେ ଖୁବ ଶୀଘ୍ର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ରେଞ୍ଜର । ହୀରାଦ୍ରୀ ମାଝୀଙ୍କ ଏଭଳି କାମ ଯୋଗୁଁ ପ୍ରକୃତି ପ୍ରେମୀ ସାଧୁବାଦ ଜଣାଇଛନ୍ତି ।
ଇଟିଭି ଭାରତ, ନୂଆପଡା