ନୂଆପଡା: ଛତିଶଗଡ଼ ମୁହାଁ ହେଉଛନ୍ତି ପହରିଆ କମାର ସମ୍ପ୍ରଦାୟ ଲୋକେ । ରାଜ୍ୟ ସରକାର ଏହି ଜାତିକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି । ଫଳରେ ଜଙ୍ଗଲରେ ବାସ କରୁଥିବା ପହରିଆ କମାର ଜାତି ବିକାଶ ଧାରାରେ ବାଟବଣା ହୋଇପଡିଛନ୍ତି । ଅନ୍ୟପକ୍ଷରେ ଏହି ବିରଳ ଜାତିକୁ ପଡୋଶୀ ଛତିଶଗଡ଼ ସରକାର ଆଦିବାସୀ ମାନ୍ୟତା ଦେଇ ସରକାରୀ ସୁବିଧା ଯୋଗାଇ ଦେଉଛନ୍ତି । ଯାହାଫଳରେ ନୂଆପଡା ଜିଲ୍ଲାର ପହରିଆ କମାର ଜାତି ନିଜ ରାଜ୍ୟ ଓଡ଼ିଶା ଛାଡି ଛତିଶଗଡ଼ ରାଜ୍ୟରେ ସାମିଲ ହୋଇଛନ୍ତି । ଏନେଇ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଇଟିଭି ଭାରତ ଟିମ ପହଞ୍ଚିଥିଲା ଛତିଶଗଡ଼ ରାଜ୍ୟ ଆମାମୋଲା ଗାଁକୁ ।
ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସ୍ଥିତ ଦାଥୁନାମା ଗାଁର ମାନିରାମ କମାର,ଗଣାରାମ କମାର,ତୁଲାରାମ କମାର 3 ଗୋଟି ପରିବାରର 15 ଜଣ ସଦସ୍ୟ ଏବେ ଛତିଶଗଡ଼ ରାଜ୍ୟ ଆମାମୋଲା ଗ୍ରାମର ବାସିନ୍ଦା ହୋଇଛନ୍ତି । ଏହି 3 ପରିବାରଙ୍କୁ ଛତିଶଗଡ଼ ସରକାର ଆଦିବାସୀ ମାନ୍ୟତା ଦେଇ ଆଦିବାସୀ ମାନଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ସରକାରୀ ସୁବିଧା ଯୋଗାଇ ଦେଇଛନ୍ତି । ଯାହାଫଳରେ ଏବେ ଓଡ଼ିଶାର କମାର ପହରିଆ ଜାତି ଛତିଶଗଡ଼ ମୁହାଁ ହୋଇଛନ୍ତି । ଓଡିଶା ସରକାର ଏ ବିଷୟରେ ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ