ନୂଆପଡା: ପୁଣି ଥରେ ଚର୍ଚ୍ଚାକୁ ଆସିଛି 2019 ଦୁଷ୍କର୍ମ ଘଟଣା । ନୂଆପଡା ଜିଲ୍ଲା ଜୋଙ୍କ ଥାନା ବିରୋମାଲ ଗାଁରେ 2019 ଅକ୍ଟୋବର ମାସରେ ଜଣେ 4 ବର୍ଷର ଶିଶୁକନ୍ୟାକୁ ସେହି ଗାଁର 14 ବର୍ଷର ଜଣେ ନାବାଳକ ଦୁଷ୍କର୍ମ କରିଥିଲା । ଘଟଣାକୁ 9 ମାସ ବିତିଯାଇଥିଲେ ସୁଦ୍ଧା ଏବେ ବି ପୀଡିତା ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିବା ବାପା ମା' ଅଭିଯୋଗ ଆଣିଛନ୍ତି ।
ନାବାଳିକା ଶିଶୁକନ୍ୟାକୁ ଚିକିତ୍ସା ପାଇଁ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୋମବାର ପୀଡିତା ଶିଶୁକନ୍ୟା ଓ ତାଙ୍କ ବାପା ମା'ଙ୍କୁ ଜିଲ୍ଲା ଚିକିତ୍ସାଳୟରେ ସାକ୍ଷାତ କରିଛନ୍ତି ନୂଆପଡା ଜିଲ୍ଲା ଯାଦବ ସମାଜର 5 ଜଣିଆ ପ୍ରତିନିଧି ଦଳ । ଜିଲ୍ଲାର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତୀଙ୍କ ନେତୃତ୍ବରେ ଜିଲ୍ଲା ଯାଦବ ସମାଜର ଉପସଭାପତି ଭାରତ ଲାଲ ରାଉତ, ବରିଷ୍ଠ ସଦସ୍ୟ ଘନଶ୍ୟାମ କରୁଆଁ, ଦେବେନ୍ଦ୍ର ରାଉତ ଏବଂ ରିଙ୍କୁ ବଗର୍ତ୍ତୀ ସାମିଲ ଥିଲେ । ଏମାନେ ସମସ୍ତେ ପୀଡିତା ଶିଶୁ ଓ ତାଙ୍କ ବାପା ମା'ଙ୍କୁ ସାକ୍ଷାତ କରି ସମାଜ ପକ୍ଷରୁ ଆର୍ଥିକ ସହାୟତା ଦେବା ସହ ସମସ୍ତ ବିଷୟ ଉପରେ ପଚାରି ବୁଝିଥିଲେ ।
ସମସ୍ତ ବିଷୟ ଜାଣିବା ପରେ ପୀଡିତାଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଦ୍ବାରା ଚିକିତ୍ସା ସହ କ୍ଷତିପୂରଣ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲାପାଳ ନୂଆପଡାଙ୍କୁ ସାକ୍ଷାତ କରି ଜିଲ୍ଲା ଯାଦବ ସମାଜ ଦାବି କରିଛି । ଯଦି ଆଗାମୀ ଦିନରେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ