ନୟାଗଡ଼ : ପ୍ରତିବର୍ଷ ଜାନୁଆରୀ ୫ ତାରିଖରୁ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ରଣପୁର ମହୋତ୍ସବ ପାଳିତ ହୋଇ ଆସୁଥିବାବେଳେ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନାକୁ ପ୍ରାଧାନ୍ୟ ଦେଇ ଜନ ସାଧାରଣଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ରଣପୁର ମହୋତ୍ସବ ପରିବର୍ତ୍ତେ କେବଳ ରଣପୁର ଦିବସ ପାଳିତ ହୋଇ ଯାଇଛି ।
ପ୍ରଥମେ ଭୋର ୫ଟାରୁ ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା, ଅର୍ଜୁନ ରାଉତଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇ ପ୍ରଭାତ ଫେରି କରାଯାଇଥିଲା । ରଘୁ-ଦିବାକର ଆସୋସିଏସନରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା । ଏହା ପରେ ରଣପୁର ପଞ୍ଚୁଦୋଳ ପଡିଆରେ ଥିବା ଶହୀଦ ରଘୁ ଦିବାକର ମଣ୍ଡପରେ ଥିବା ରଘୁ-ଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।
ଶହୀଦ ଅର୍ଜୁନ ରାଉତଙ୍କ ନିଜ ଗ୍ରାମ ମୟୁରଝଲିଆରୁ, ଶହୀଦ ଦିବାକର ପରିଡାଙ୍କ ନିଜ ଗ୍ରାମ ଗଡ଼ବାଣିକିଲୋରୁ ଓ ଶହୀଦ ରଘୁନାଥ ମହାନ୍ତିଙ୍କ ନିଜ ଗ୍ରାମ ବାଦଭୂଇଁରୁ ତିନୋଟି ମଶାଲ ଆଣାଯାଇ ଶହୀଦ ରଘୁ-ଦିବାକର ମଣ୍ଡପରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଥିଲା ।
ଏହା ପରେ ସେହି ମଶାଲକୁ ରଘୁ-ଦିବାକର ଆସୋସିଏସନକୁ ଆଣି ଜ୍ୟୋତି ସ୍ଥାପନ କରାଯାଇଥିଲା । ପରେ ମହୋତ୍ସବ ପଡିଆରେ ଏକ ହୋମ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ରଣପୁରର ଐତିହ୍ୟ ପରମ୍ପରାକୁ ମନେ ପକାଇବା ଉଦ୍ଦେଶ୍ୟରେ ଏକ କବି ସମ୍ମିଳନୀ ମଧ୍ୟ କରାଯାଇଥିଲା । 2006 ମସିହା ଠାରୁ ଏହାକୁ ରଣପୁର ମହୋତ୍ସବ ଭାବେ ପାଳନ କରାଯାଉଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ