ନୟାଗଡ଼: ସମାଜରୁ ହଜିଗଲା ମାନବିକତା, ମୃତଦେହକୁ ଗାଁ ଦାଣ୍ଡରୁ ଉଠାଇଲେ ନାହିଁ ଗ୍ରାମବାସୀ । 8ଘଣ୍ଟା ଧରି ଗାଁ ଦାଣ୍ଡରେ ପଡ଼ିରହିଲା ମରଶରୀର । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ଗୌଡ଼ିଆ ପଡା ଗ୍ରାମରେ l ଖବର ଅନୁସାରେ ଏହି ହୃଦୟ ବିଦାରକ ହତ୍ୟାକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣାପଡି ନାହିଁ । ସେପଟେ ମୃତକ ଅଶୋକ ପରିଡାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଘରେ ଥିବା ଅବସ୍ଥାରେ ତାଙ୍କ ସାନ ଦିଅର ଏବଂ ନଣନ୍ଦେଇ ମିଶି ଅଶୋକ ପରିଡାଙ୍କୁ ବାଡେଇ ବାଡେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଦାଣ୍ଡରେ ପକେଇ ଦେଇଥିଲେ ।
କିଛି ସମୟ ପରେ ଅଶୋକ ପରିଡା ମୃତ୍ୟୁ ବରଣ କରିଥିଲେ l ଦୀର୍ଘ 8 ଘଣ୍ଟା ଧରି ଗାଁ ଦାଣ୍ଡରେ ମରଶରୀର ପଡିରହିଥିଲେ ମଧ୍ୟ କେହି ବି ଗ୍ରାମବାସୀ ମୃତଦେହକୁ ଉଠାଇ ନଥିଲେ l ଏନେଇ ମୃତକଙ୍କ ସ୍ତ୍ରୀ ରୋଜି ପରିଡା ରାଜସୁନାଖଳା ଫାଣ୍ଡିରେ ଏତଲା ଦେଇଥିଲେ l ସୁନାଖଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ କରୁଛି l
ନୟାଗଡ଼ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ