ନୟାଗଡ଼: ଆଜି ହେଉଛି ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହା ଦ୍ଵାଦଶ ଯାତ୍ରାର ବଡ଼ ପର୍ବ । ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ଅନୁଷ୍ଠିତ ହୋଇଯାଇଛି । ରତ୍ନ ସିଂହାସନରୁ ବାହାରି ସ୍ନାନବେଦୀଙ୍କୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନ ବେଦୀରେ ତିନି ଠାକୁରଙ୍କ ଦୁର୍ଲ୍ଲଭ ଗଜ ବେଶକୁ ଦର୍ଶନ କରି ଭକ୍ତ ବିମୋହିତ ହେଉଥିବାବେଳେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ । ତେଣୁ ଭକ୍ତଙ୍କ ଦର୍ଶନରେ ଲାଗିଛି କଟକଣାର ବେଡି ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଠିଆ ହୋଇଛି କରୋନା । କୋଭିଡ କଟକଣାକୁ ନଜରରେ ରଖି ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ଵାରା ଅନୁଷ୍ଠିତ ହେଇଛି ସ୍ନାନ ଯାତ୍ରା । ଗତକାଲି ସନ୍ଧ୍ୟାରେ ପ୍ରଭୁଙ୍କ ସେନାପଟ ନୀତି ହୋଇଥିବା ବେଳେ ରାତି ୪ଟାରୁ ମଙ୍ଗଳ ଆଳତୀ କରାଯାଇ ସ୍ନାନ ବେଦୀକୁ ପହଣ୍ଡି କରାଯାଇଥିଲା । ପରେ ଶ୍ରୀ ଜୀଉଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ଦିନ 12 ଟାରେ ମହାପ୍ରଭୁଙ୍କର ଅପୂର୍ଵ ଗଜାନନ ବେଶ କରାଯାଇଥିଲା ଏବଂ ରାତି ୯ ଟାରେ ସ୍ନାନ ମଣ୍ଡପରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜୀଉଙ୍କ ଅଣସର ନୀତି ଆରମ୍ଭ ହେବ । ତେବେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ୧୪୪ ଧାରା ଲାଗୁ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ କରାଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ