ନୟାଗଡ଼: ପୁଣି ସାମ୍ନାକୁ ଆସିଲା ଶିକ୍ଷକଙ୍କ ମନ୍ଦଚରିତ୍ର । ଅଷ୍ଟମ ଶ୍ରେଣୀର ଝିଅକୁ ଅସଦାଚରଣ କରି ଫସିଗଲେ ଖେଳ ଶିକ୍ଷକ । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ହାଇସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଖୁଣ୍ଟରେ ବନ୍ଧା ହେଲେ ଖେଳ ଶିକ୍ଷକ ।
ହାଇସ୍କୁଲ ନିକଟରେ ଏକ ଘରେ ସନ୍ଧ୍ୟା ସମୟରେ ପିଲାମାନଙ୍କୁ ଟିଉସନ କରନ୍ତି ଖେଳ ଶିକ୍ଷକ ବିଶ୍ଵନାଥ ମୁଦୁଲି । ପ୍ରତିଦିନ ଭଳି ବୁଧବାର ସନ୍ଧ୍ୟାରେ ମଧ୍ୟ ପିଲାଙ୍କୁ ଟିଉସନ କରୁଥିଲେ । ଏହି ସମୟରେ ଜଣେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିଶ୍ବନାଥ ମୁଦୁଲି ଅନ୍ୟ ଏକ ଘରକୁ ଡାକିନେଇ ଅସଦାଚରଣ କରିଥିଲେ । ଏହାସହ ଏସମ୍ପର୍କରେ ଘରେ କାହାରିକୁ ନକହିବାପାଇଁ ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ ।
କିନ୍ତୁ ଛାତ୍ରୀ ଜଣକ ଘରେ ଯାଇ ସବୁ କଥା କହିଥିଲେ । ଏସମ୍ପର୍କରେ ଗାଁ ଲୋକଙ୍କୁ ଖବର ମିଳିବା ପରେ ଖେଳ ଶିକ୍ଷକଙ୍କୁ ଲାଇନ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି । ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିଲେ । କିନ୍ତୁ ସେଠାରେ ପୋଲିସ ଦ୍ବାରା କୌଣସି ସମାଧାନ ହୋଇପାରିନାହିଁ ।
ନୟାଗଡ଼ରୁ ଉତ୍ପଳ ସାହୁ, ଇଟିଭି ଭାରତ