ନୟାଗଡ଼: ନୃଶଂସ ଏବଂ କ୍ରୁରତାର ପରିଚୟ ଦେଇ ଚର୍ଚ୍ଚାରେ ରହିଛନ୍ତି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ । ଖୋର୍ଦ୍ଧା ବେଗୁନିଆ ପରେ ଏବେ ସାମ୍ନାକୁ ଆସିଲା ମାନସ ଦାସଙ୍କ ନୟାଗଡ ଲିଙ୍କ । ମାନବବାଦ ସଂଗଠନ ନାଁରେ ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି l ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରୁ l ରଣପୁର ଥାନା ଅଧୀନ ବାଲିଆ ଗାଁରେ ମାନବବାଦ ସଂଗଠନ ସମ୍ପର୍କିତ ନ୍ୟୁଜକୁ କିଛି ଲୋକେ ମୋବଇଲରେ ଦେଖୁଥିଲେ l
ଏହି ସମୟରେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ପରମ ଶିଷ୍ୟ କୁହାଯାଉଥିବା ସ୍ଵପ୍ନେଶ୍ଵର ନାୟକଙ୍କ ଭଉଣୀ ରେଣୁଦେଇ ନ୍ୟୁଜ ଦେଖୁଥିବା କିଛି ଲୋକଙ୍କୁ ଗାଳିଗୁଲଜ କରିଥିଲେ । କେବଳ ସେତିକି ନୁହେଁ, ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି l ମାନବବାଦ ସଂଗଠନର ସ୍ଵପ୍ନେଶ୍ଵର ନାୟକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଏକ ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ରହିଛି l ସ୍ଵପ୍ନେଶ୍ଵର ଜେଲରୁ ଆସିଲେ ତୋ କଥା ବୁଝିବୁ l ଆମର ମାନସ ଦାସ ଅଛନ୍ତି ବୋଲି ସମ୍ପୃକ୍ତ ଅଭିଯୋଗକାରୀଙ୍କ ପରିବାରକୁ ରେଣୁଦେଇ ଧମକ ଦେଇଥିବା ନେଇ ବାଲିଆ ଗାଁର ସୁକାନ୍ତି ଦେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରି ପୋଲିସ ଠାରୁ ସୁରକ୍ଷା ମଧ୍ୟ ମାଗିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ