ନୟାଗଡ଼: ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କ ଗିରଫ ଦାବିରେ 4 ଦିନ ବ୍ୟବଧାନରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଆଦିବାସୀ ସୁରକ୍ଷା ମଞ୍ଚ l ବିରାଟ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରି ଗୟାଧରଙ୍କୁ ଗିରଫ ଦାବି କରିଛନ୍ତି ମଞ୍ଚର ଶତାଧିକ ସଦସ୍ୟ । ଗତ 4ଦିନ ତଳେ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଦାବିପତ୍ର ପ୍ରଦାନ ହୋଇଥିଲା । ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଆଜି ପୁଣି ଆନ୍ଦୋଳନକୁ ଜୋରଦାର କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ମଞ୍ଚ ।
ଆଜି ନୟାଗଡ଼ ବସଷ୍ଟାଣ୍ଡରୁ ଏକ ବିଶାଳ ବିକ୍ଷୋଭ ଶୋଭଯାତ୍ରାରେ ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ ତସ୍ତଖତ ବ୍ୟବହାର କରି ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଅଧ୍ୟକ୍ଷା ଶାନ୍ତିଲତା ଅଭିଯୋଗ କରିଥିଲେ । ଏପରିକି ଶାନ୍ତିଲତା କେବଳ ସାମ୍ବିଧାନିକ ଭାବେ କ୍ଷମତାରେ ଥିବାବେଳେ ଚଞ୍ଚକତା କରି ସମସ୍ତ କ୍ଷମତା ଗୟାଧର ଉପଭୋଗ କରିଥିବା ମଧ୍ୟ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ କୋର୍ଟର ଆଶ୍ରୟ ନେଇଥିଲେ ଶାନ୍ତିଲତା ।
ଘଟଣା ସମ୍ପର୍କରେ କୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ରୁଜୁ ହୋଇଥିଲା । ମାତ୍ର ଗତ 17 ତାରିଖରେ ଅନାସ୍ଥା ଭୋଟରେ ଶାନ୍ତିଲତା ଅଧ୍ୟକ୍ଷା ପଦ ହରାଇଥିଲେ । ତେବେ ଆଦିବାସୀ ବିକାଶ ମଞ୍ଚ ପକ୍ଷରୁ କ୍ରମାଗତ ଭାବେ ଉପାଧ୍ୟକ୍ଷଙ୍କ ଗିରଫ ଦାବିରେ ଆନ୍ଦୋଳନ ଜାରି ରହିଛି l ଉପାଧ୍ୟକ୍ଷ ଗୟାଧର ଗିରଫ ନେ ହେବା ଯାଏ, ଆନ୍ଦୋଳନ ଜାରି ରହିବା ନେଇ ମଧ୍ୟ ମଞ୍ଚ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ