ନବରଙ୍ଗପୁର: ଜିଲ୍ଲାରେ ଚାଞ୍ଚଲ୍ୟ । ସହରର ରାଜରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଯୁବକ ହେଲେ କ୍ଷୀରସିନ୍ଧୁ ଗହୀର । ତାଙ୍କ ଘର କଳାହାଣ୍ଡି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ମହିମା ଗାଁରେ ବୋଲି ଜଣାପଡିଛି ।
ସେ ମଙ୍ଗଳବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବାବେଳେ ହଠାତ୍ ଜଣେ ଅଜଣା ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ନବରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତକୁ ଧରିବାକୁ ଚେଷ୍ଟା ଜାରି ରଖିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ