ନବରଙ୍ଗପୁର: ଦିବଂଗତ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରିବାରକୁ ଭେଟିଲେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସାଂସଦ ମାଝୀ ନବରଙ୍ଗପୁର ସହର ସୁନାରୀସାହିସ୍ଥିତ ସ୍ଵାଧୀନତା ସଂଗ୍ରାମୀଙ୍କ ବାସଭବନକୁ ଯାଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶୋକସନ୍ତପ ପରିବାରକୁ ସାନ୍ତ୍ବନା ଦେଇଛନ୍ତି ।
ଏଥିସହ ମହମ୍ମଦ ବାଜିଙ୍କ ବିୟୋଗ ନବରଙ୍ଗପୁର ତଥା ଓଡିଶା ମାଟି ପାଇଁ ଏକ ଅପୂରଣୀୟ କ୍ଷତି ତଥା ଭାରତମାତା ଏକ ସୁଯୋଗ୍ୟ ସନ୍ତାନକୁ ହରାଇଥିବା ସାଂସଦ ପ୍ରକାଶ କରିଥିଲେ । ଭାରତୀୟ ସ୍ଵାଧୀନତା ପାଇଁ ନବରଙ୍ଗପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଦୃଢ଼ ନେତୃତ୍ୱ ନେଇ ଲୋକଙ୍କୁ ସଂଗଠିତ କରି ଲୋକଙ୍କ ମଧ୍ୟରେ ସ୍ଵାଧୀନତାର ବହ୍ନି ଜଳାଇବାରେ ସକ୍ଷମ ହୋଇ ଅନେକ ବାର କାରାବାସ ଭୋଗ କରିଥିଲେ । ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସର ସ୍ଵର୍ଣ୍ଣା କ୍ଷାରରେ ଲିପିବଦ୍ଧ ହୋଇ ରହିଥିବ ବୋଲି ପ୍ରକାଶ କରିଛନ୍ତି । ମାତୃଭୂମି ପ୍ରତି ପ୍ରେମ ପାଇଁ ସେ ପ୍ରେରଣାର ଉତ୍ସ ହୋଇରହିଥିବେ । ସେ ଗାନ୍ଧିବାଦୀ ଆଦର୍ଶ ପ୍ରତୀକ ଥିଲେ । ଏଣୁ ଏଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗ ପରେ ଉଚିତ ସମ୍ମାନ ପ୍ରଦାନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀମାନେ ସାଂସଦଙ୍କ ନିକଟରେ ଦାବି ରଖିଥିଲେ ।
ପ୍ରଥମତଃ ବିଧାନସଭାରେ ମହମ୍ମଦ ବାଜିଙ୍କ ଏକ ତୈଳ ଚିତ୍ର ରଖିବା, ନବରଙ୍ଗପୁର ସହରର ଯେକୌଣସି ସ୍ଥାନରେ ବାଜିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ, ନବରଙ୍ଗପୁର ସହର ସୁନାରୀ ସାହିକୁ ମହମ୍ମଦ ବାଜିଙ୍କ ନାମରେ ନାମିତ କରିବା ପ୍ରମୁଖ ଦାବି ରଖିଥିଲେ । ଏହି ସମସ୍ତ ଦାବି ଗୁଡିକୁ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଦିବଙ୍ଗତ ମହମ୍ମଦ ବାଜିଙ୍କ ସମ୍ମାନର୍ଥେ ଯାହା ସବୁ ପଦକ୍ଷେପ ନେଇ ହେବ, ତାହା ପୂରଣ କରିବା ନେଇ ସାଂସଦ ଏହି ଅବସରରେ ପ୍ରତିଶୃତି ଦେଇଥିଲେ । ଅପରପକ୍ଷରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମହମ୍ମଦ ବାଜିଙ୍କ ପରିବାର ବର୍ଗଙ୍କୁ ଭେଟି ବାଜିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏଥିସହ ବୁଦ୍ଧିଜୀବୀଙ୍କ ଦାବି ଗୁଡିକୁ ଯଥାର୍ଥ ଓ ମହମ୍ମଦ ବାଜି ଭଳି ଅବିଭକ୍ତ କୋରାପୁଟ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତାଙ୍କ ସମ୍ମାନ ପାଇଁ ବୁଦ୍ଧିଜୀବୀଙ୍କ ତରଫରୁ କରାଯାଇଥିବା ଦାବି ଗୁଡିକୁ ପୂରଣ କରିବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ