ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଦେଶବ୍ୟାପୀ ଆରମ୍ଭ ହୋଇଛି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ । ପ୍ରତ୍ୟେକ ପରିବାର ତଥା ପ୍ରତି ଲୋକଙ୍କୁ ରାଷ୍ଟ୍ର ଭାବ ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଟି ସଂଗ୍ରହ ପାଇଁ ସରକାରଙ୍କ ତରଫରୁ ପ୍ରୟାସ କରାଯାଉଛି । ତେବେ ଏନେଇ ନବରଙ୍ଗପୁର ବିଧାନସଭା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଦହଣା ସଦର ଗ୍ରାମର ବାଲୁଙ୍କେଶ୍ୱର ଶିବ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ମନ୍ଦିରରୁ ଅମୃତ କଳସରେ ମାଟି ଧରି ଗ୍ରାମ ପରିକ୍ରମା କରାଯାଇଥିଲା ।
ଗ୍ରାମର ଶତାଧିକ ମାଆ ଭଉଣୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବଡ଼ ଉତ୍ସାହ ଉଦ୍ଦୀପନା ସହକାରେ ଗାଁର ସମସ୍ତଙ୍କ ଘରେ ଗୋବର ଲିପି ଝୋଟି ଚିତା ପକାଇ କଳସ ସ୍ଥାପନା କରଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ, ମଣ୍ଡଳ ସଭାପତି କୃଷ୍ଣ ନାୟକ, ଦେବୀ ପ୍ରସାଦ ମହାପାତ୍ର, ଜ୍ୟୋତି ରଞ୍ଜନ କଂସ ମିଡ଼ିଆ ସଂଯୋଜକ ଦେବଦାସ ମହାଙ୍କୁଡ, ସନାତନ ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ପ୍ରକାଶ ଥାଉକି, ଗତ ୧୦ ତାରିଖରେ ବଲାଙ୍ଗୀର ଜିଲ୍ଲାରେ ବିଜେପିର "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମର ଉଦ୍ଦିପନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତିନି ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ଜିଲ୍ଲାର ବହୁ ବିଜେପି କର୍ମୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଅମୃତ ମାଟି ସଂଗ୍ରହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- କନ୍ଧମାଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ; ଘର ଘର ବୁଲି ମାଟି ସଂଗ୍ରହ କଲେ ମନମୋହନ
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶର ଶହୀଦ ଯବାନମାନଙ୍କୁ ସମ୍ମାନ ଜଣାଇ ମୋ ମାଟି ମୋ ଦେଶ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି । ୭ ହଜାର ୫୦୦ କଳସରେ ବିଭିନ୍ନ ଗାଁରୁ ମାଟି ଓ ବୃକ୍ଷ ସଂଗ୍ରହ ହେଉଛି । ସଂଗୃହୀତ ମାଟିକୁ ଭୁବନେଶ୍ବର ନିଆଯାଇ ଟ୍ରେନ୍ ଯୋଗେ ଦିଲ୍ଲୀକୁ ପଠାଯିବ । ଏହି ମାଟି ଓ ବୃକ୍ଷରେ ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକା ନିର୍ମାଣ ହେବ ।
ଇଟିଭି ଭାରତ, ନବରଙ୍ଗପୁର