ନବରଙ୍ଗପୁର: ପିଲା ଦିନରୁ ହିଁ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର କାହାଣୀ । ଗରିବ ଏବଂ ଲୋକଙ୍କ ନିଃସ୍ଵାର୍ଥପର ସେବା କରିବାକୁ ସର୍ବଦା ଆଗେଇ ଆସନ୍ତି । ରାଷ୍ଟ୍ରୀୟ ସେବା ଯୋଜନା, ୟୁଥ ରେଡକ୍ରସ, ନେହରୁ ଯୁବ କେନ୍ଦ୍ରରେ ସ୍ବେଚ୍ଛାସେବୀ ଭାବେ କାମ କରିଥିଲେ । ଆଉ ଏବେ ଦେଶ ଏବଂ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଡ଼େଙ୍ଗାଗୁଡ଼ା ଗ୍ରାମର ମହେନ୍ଦ୍ର କୁମାର ନାୟକ ।
ସର୍ବସାଧାରଣରେ ବେଶ ପରିଚିତ ସେ । ଖୁବ କମ ବୟସରୁ ବିଦେଶ ତଥା ଦେଶରେ ଯୁବ ସଶକ୍ତିକରଣ, ସାମାଜିକ ଏବଂ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ଅବଦାନ ଉଲ୍ଲେଖନୀୟ । ଭାରତ ଏବଂ ଓଡିଶା ସରକାରଙ୍କ ଠାରୁ ଅନେକ ଥର ପୁରସ୍କାର ହାସଲ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ସେ । ୨୦୧୪ରେ ଭାରତ ସରକାରଙ୍କ ତରଫରୁ ଜାତୀୟ ଯୁବ ପୁରସ୍କାର ଅର୍ଜନ କରିଥିଲେ ମହେନ୍ଦ୍ର । ତେବେ ତାଙ୍କର ଏହି ସଫଳତା ଦେଶ ମଧ୍ୟରେ ସୀମିତ ରହିନାହିଁ । ଭାରତ ସରକାରଙ୍କ ପକ୍ଷରୁ ଦକ୍ଷିଣ କୋରିଆରେ ମଧ୍ୟ ସେ ପୃରସ୍କୃତ ହୋଇଛନ୍ତି ।
ଜାତୀୟ ଯୁବ ପୁରସ୍କାର, ରାଜ୍ୟ ଯୁବ ସମାଜସେବୀ ପୁରସ୍କାର, ରାଷ୍ଟ୍ରୀୟ ବିକାଶ ରତ୍ନ, ଡ. ଆମ୍ବେଦକର, ବିଜୁ ପଟ୍ଟନାୟକ ଶତ ବାର୍ଷିକୀ ପୁରସ୍କାର, ବନ୍ୟଜନ୍ତୁ ସଂରକ୍ଷଣ, ୟୁଥ ଆଇକନ, କଳିଙ୍ଗ ପୁତ୍ର, ଆଦର୍ଶ ଯୁବ ସମ୍ମାନ, ଓଡିଶା ୟୁଥ ଇନସ୍ଟିରିଂ ଆୱାର୍ଡ, ରାଜୀବ ଗାନ୍ଧୀ ସମ୍ମାନ, ଗୋପବନ୍ଧୁ ଜ୍ୟୋତି, ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର, ପ୍ରକୃତି ବନ୍ଧୁ ଭଳି ବିଭିନ୍ନ ପୁରସ୍କାର ଅର୍ଜନ କରି ଜିଲ୍ଲାର ନାମ ଉଜ୍ବଳ କରିଛନ୍ତି ମହେନ୍ଦ୍ର ।
ଏହା ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ଥର ରକ୍ତଦାନ କରିବା ସହ ୧୫୦ରୁ ଊର୍ଦ୍ଧ୍ବ ରକ୍ତଦାନ ଶିବିର ଆୟୋଜନ, ୧୦,୦୦୦ରୁ ଊର୍ଦ୍ଧ୍ବ ବୃକ୍ଷରୋପଣ, ୪୦,୦୦୦ ଯୁବକଙ୍କ ସହ ମିଶି ସେମାନଙ୍କୁ ସମାଜସେବାରେ ଆସିବାକୁ ପ୍ରବର୍ତ୍ତାଇବାରେ ଧୁରନ୍ଧର ସେ I
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ