ନବରଙ୍ଗପୁର: କୋରୋନା ମହାମାରୀର ପ୍ରକୋପରେ ଛଟପଟ ସାରା ବିଶ୍ବ । ମହାମାରୀର ମୁକାବିଲା ପାଇଁ ଜାରି ଲକଡାଉନ, ସଟଡାଉନର କଟକଣା ଅନେକଙ୍କ ରୋଜଗାର ଛଡାଇ ନେଇଛି । ଏଭଳି ସ୍ଥିତିରେ କିଏ ନିଜ କୌଳିକ ବୃତ୍ତିକୁ ଆପଣେଇଛି ତ ଆଉ କିଏ ରୋଜଗାରର ନୂଆ ରାସ୍ତା ଖୋଜି ବାହାର କରିଛି । ଏମିତିରେ ଜୀବିକା ଯୋଗାଇଛି 'କରଡି' । ନାଁ ଟି ଶୁଣିବାକୁ ଯେମିତି... ସେଥିରୁ ପ୍ରସ୍ତୁତ ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା ।
ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ । ଆଉ ଏବେ ନବରଙ୍ଗପୁର ବଜାରରେ ଚାଲିଛି କରଡିର ରାଜୁତି । ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁନାହିଁ । ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି ।
ଘଞ୍ଚ ଜଙ୍ଗଲ ଭରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ । କଅଁଳ ଅବସ୍ଥାରେ ଏହାକୁ କଟା ଯାଇଥାଏ । ବଜାରରେ ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକାରୀ କେତୋଟି କରଡ଼ିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି, ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ରରେ ପ୍ରସ୍ତୁତ ଦନାରେ ବିକ୍ରି କରନ୍ତି । ତେବେ ଗୃହିଣୀଙ୍କ ପସନ୍ଦ ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର ଭଳି 40ରୁ ଉର୍ଦ୍ଧ୍ବ ରକମର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାର ସ୍ବାଦ ମଧ୍ୟ ବେଶ ନିଆରା ।
କୋରୋନା ସମୟରେ କରଡିର ପ୍ରତ୍ୟାବର୍ତ୍ତନ ରୋଜଗାର ଶୂନ୍ୟ ବ୍ୟକ୍ତିଙ୍କ ଟଙ୍କା ଉପାର୍ଜନର ମାର୍ଗ ପାଲଟିଛି । ଆଉ ଏହାକୁ ବିକ୍ରି କରି ସଂଗ୍ରହକାରୀ ଦୁଇ ପଇସା ରୋଜଗାର ସହ ବିଭିନ୍ନ ରକମର ଖାଦ୍ୟ ଖାଇବାର ସୁଯୋଗ ପାଉଛନ୍ତି ସଭିଏଁ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ