ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତେନ୍ତୁଳିଖୁଣ୍ଟି ପୋଲିସ୍ ୫ ଜଣ ଅଭିଯୁକ୍ତକୁ ଗିରଫ କରିଛି । କିନ୍ତୁ, ମୁଖ୍ୟ ଅଭିଯୁକ୍ତ ଗୋଲକ ନାୟକ ଫେରାର ଅଛନ୍ତି । ଏହି ସମ୍ପର୍କରେ ଆଜି(ସୋମବାର) ନବରଙ୍ଗପୁର SDPO ଆଦିତ୍ୟ ସେନ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ କଂଗ୍ରା ପଞ୍ଚାୟତରେ ହୋଇଥିବା ରାସ୍ତା, ସ୍କୁଲ ଓ ପାଚେରୀ କାମର ବିଲ କରାଇଦେବାକୁ ନେଇ ଗୋଲକ ନାୟକ ଓ ତାଙ୍କ କିଛି ସହଯୋଗୀ ବ୍ଲକ ପରିସରରେ ନିଜ ଘରେ କାମ କରୁଥିବା ସମୟରେ କନିଷ୍ଠ ଯନ୍ତ୍ରୀ ରଜନୀକାନ୍ତ ଭକ୍ତ ଘରରୁ ଡ଼ାକି ଆଣିଥିଲେ । ତାଙ୍କୁ ଘେରିଯାଇ ମୁଣ୍ଡରେ ବନ୍ଧୁକର ପଛପଟୁ ଆକ୍ରମଣ କରିଥିଲେ । କନିଷ୍ଠ ଯନ୍ତ୍ରୀଙ୍କୁ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଖରାପ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଉଥିଲା । ଘଟଣା ପରେ ବିଜେପି ଓ କଂଗ୍ରେସ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଗୋଲକ ଜଣେ ବିଜେଡି କର୍ମୀ ହୋଇଥିବାରୁ ବିଜେଡିର ଗୁଣ୍ଡା ଶାସନ କହି ନିନ୍ଦା କରିଥିଲେ ଓ ଆସନ୍ତାକାଲିକୁ କଂଗ୍ରେସ ତେନ୍ତୁଳିଖୁଣ୍ଟି ବନ୍ଦ ଡାକରା ଦେଇଥିଲେ । ତେନ୍ତୁଳିଖୁଣ୍ଟି ପୋଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ