ନବରଙ୍ଗପୁର: ମାତ୍ର 10ହଜାର ଟଙ୍କା ପାଇଁ 7ମାସର କଅଁଳ ଶିଶୁକୁ ବିକ୍ରି କରିଛି ବାପା । ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ପୁଜାରୀଗୁଡା ଗାଁର ଜଣେ ମଦ୍ୟପ ବାପା ଟଙ୍କା ଓ ମଦ୍ୟପାନ ପାଇଁ ଭିଆଇଛି ଏଭଳି ଜଘନ୍ୟ କାଣ୍ଡ । ଯାହାକୁ ନେଇ ସାଧାରଣରେ ଜୋର ଧରିଛି ଚର୍ଚ୍ଚା ।
ଜଣେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସଗାରାମ ଲୋହାର ନିଜ 7ମାସର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସନମାରୀ । ବୁର୍ଜା ଗ୍ରାମର ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ 10ହଜାର ଟଙ୍କାରେ ନିଜ ପୁଅକୁ ସ୍ବାମୀ ବିକିଥିବା ଥାନାରେ କହିଛନ୍ତି ସ୍ତ୍ରୀ ।
ଅଭିଯୋଗ ଅନୁଯାୟୀ, ଚଳିତ ମାସ ଗତ 8ତାରିଖ ଦିନ ସଗାରାମ, ପତ୍ନୀ ଓ ପୁତ୍ର ସହ ଉମରକୋଟସ୍ଥିତ ପେଣ୍ଡରାଣୀ ମନ୍ଦିରକୁ ବୁଲିବା ପାଇଁ ଆସିଥିଲେ । ସେଠାରେ ବୁର୍ଜା ଗ୍ରାମର ରମେଶ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କ ସହ ଉପସ୍ଥିତ ଥିଲେ । ସଗାରାମ ମଧ୍ୟ ନିଜ ଶିଶୁକୁ 10ହଜାର ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ, କିନ୍ତୁ ସ୍ତ୍ରୀ ରୋକଠୋକ ମନା କରିବାରୁ ତାଙ୍କୁ ପ୍ରବଳ ମାଡ ମାରି ଶିଶୁକୁ ଜବରଦସ୍ତି ଛଡାଇ ନେଇ ରମେଶକୁ ଦେଇଥିଲେ ।
ରମେଶ ଶିଶୁପୁତ୍ରକୁ ନେଇ ରାୟଗଡା ଚାଲିଯାଇଥିବା ବେଳେ ସ୍ତ୍ରୀ ସନମତିଙ୍କୁ ନିଜ ବାପଘରେ ପିଲା ମରିଗଲା ବୋଲି କହିବାକୁ ବାଧ୍ୟ କରିଥିଲେ ସଗାରାମ । କିନ୍ତୁ ପରେ ପତ୍ନୀଙ୍କ ଘରେ ସନ୍ଦେହ ଉପୁଜିବାରୁ ସେ ଘଟଣା ସମ୍ପର୍କରେ ସବୁ ସତ କଥା କହିଥିଲେ । ଯାହାପରେ ସଗାରାମଙ୍କୁ ଖୁଣ୍ଟରେ ବାନ୍ଧି ସନମତିଙ୍କ ପରିବାର ନିସ୍ତୁକ ମାଡ ମାରିବା ସହ ଥାନାରେ ଏତଲା ଦେଇଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ