ରାଇରଙ୍ଗପୁର: ସପ୍ତାହକ ପୂର୍ବରୁ ନିଖୋଜ ଥିଲେ ମହିଳା । ଆଜି ଉଦ୍ଧାର ହେଲା ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ଗ୍ରାମପଞ୍ଚାୟତ ସ୍ଥିତ କାଶୀପେଣ୍ଟ ଗ୍ରାମରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଧାନବିଲ ପାଖ ଗାଡିଆରୁ ଅଧପୋତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ମହିଳା ଜଣକ ହେଲେ କାଶୀପେଣ୍ଟ ଗ୍ରାମର ସ୍ବର୍ଗତ ଲେଢ଼ା ସିଂ ଙ୍କ ଦ୍ବିତୀୟ ସ୍ତ୍ରୀ ସଖୀ ସିଂ(୪୫) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ପରେ କାଦୁଅ ପଙ୍କରେ ମୃତଦେହକୁ ପୋତି ଦିଆଯାଇଥିବା ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଉଛି । ଖବର ପାଇ ଗତକାଲି ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡକାଇଥିଲେ । ଅନ୍ୟପଟେ ଘଟଣାସ୍ଥଳକୁ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ମଧ୍ୟ ପହଞ୍ଚି ଅଧିକ ତନାଘନା ଚଳାଇଥିଲେ । ପରେ କାଦୁଅ ପଙ୍କ ମଧ୍ୟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତ ପରେ ପୋଲିସ ପକ୍ଷରୁ ଗଳିତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଥିଲା । ହେଲେ ଗଳିତ ମୃତଦେହଟି ଅଧିକ ପଚି ଯାଇଥିବାରୁ ଆଜି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାରୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଅନୁଭବ ମହାନ୍ତିଙ୍କ ପୈତୃକ ଘରର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା
ସେପଟେ ଗତ ୨୫ ତାରିଖ ରୁ ମୃତ ସଖୀ ସିଂ ନିଖୋଜ ଥିବା ବେଳେ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆଘାତ ଚିହ୍ନ ଥିବା ସହିତ ବେକରେ ଗାମୁଛା ଗୁଡ଼ା ହୋଇ ଥିବାର ଦେଖବାକୁ ମିଳିଥିଲା । ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରି ମୃତକଙ୍କ ସାବତ ପୁଅ ଓ ସାବତ ଝିଅକୁ ଥାନାରେ ଅଟକ ରଖିଛି । ଉଭୟଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ଜଣାଯାଇଛି ।
ଇଟିିଭି ଭାରତ , ରାଇରଙ୍ଗପୁର