ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେଗା ନିକଟ ୨୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ଭଉଣୀ ଓ ମାମୁଁ ଗୁରୁତର ଆହତ ହୋଇ ବାରିପଦା PRM ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡି଼ଛି ।
ତିରିଂ ଥାନା ସାନଭୁଣ୍ଡୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଖରୀଆ ଗ୍ରାମର ଲାଲମୋହନ ବାସ୍କେଙ୍କ ଦୁଇ ଝିଅ ଦିଗିମଣୀ ବାସ୍କେ (୧୯) ଓ ରାକ୍ଷୀ ବାସ୍କେ (୧୭) ତିରିଂ ଥାନା ଅନ୍ତର୍ଗତ ପୋଡାଚାକଡି ଗ୍ରାମର ମାମୁଁ ଗୋପାଲ ମୁର୍ମୁ (୩୯)ଙ୍କ ସହ ଯାଉଥିଲେ । ସେମାନେହାଟବାଦଡା ସ୍ଥିତ ଦେବୀ କଲେଜରେ ଫର୍ମ ପୂରଣ ପାଇଁ ଏକ ବାଇକ ଯୋଗେ ଯାଉଥିବା ଜଣାପଡ଼ିଛି । ଏହି ସମୟରେ ବହଳଦା ନିକଟସ୍ଥ ବାଗଡେଗା ମୁତ୍ରୀନାଳ ପୋଲ ନିକଟରେ ବହଳଦା ପୋଲିସ୍ ହେଲମେଟ୍ ଚେକିଂ ଚଳାଇଥିବା ଦେଖି ମୃତକଙ୍କ ମାମୁ ବାଇଟିକୁ ବୁଲାଇଥିବାବେଳେ ପଛପଟୁ ଆସୁଥିବା ଏକ ହାଇଓ୍ବା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।
ହାଇଓ୍ବା ଟ୍ରକଟି ଦିଗିମଣୀ (୧୯) ଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିଲେ । ସେ ବହଳଦା ଡିଏଲ କଲେଜରୁ ନିକଟରେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଥିଲେ। ଦୁର୍ଘଟଣାରେ ଫର୍ମ ପୂରଣ କରିବାକୁ ଯାଉଥିବା ସାନ ଭଉଣୀ ରାକ୍ଷୀ ଓ ମାମୁଁ ଗରୁତର ଆହତ ହୋଇ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଏବଂ ପରେ ବାରିପଦା ପିଅରଏମ୍ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ସେପଟେ ବହଳଦା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ହାଇଓ୍ବା ଟ୍ରକ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ହାଇଓ୍ବା ଟ୍ରକ ଚାଳକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଅନ୍ୟପଟେ ଉକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ