ରାଇରଙ୍ଗପୁର: ମୟୁରଭଞ୍ଜ କରଞ୍ଜିଆ ବ୍ଳକ ବଡ଼ଗାଁ ଗ୍ରାମପଞ୍ଚାୟତରେ ଗତ କିଛି ଦିନ ପୂର୍ବରୁ ବଡ଼ଗାଁ ସରପଞ୍ଚଙ୍କ ସ୍ୱାମୀ ଭତ୍ତା ଟଙ୍କା ବାଣ୍ଟୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଗ୍ରାମପଞ୍ଚାୟରେ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରକାର ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିବା ବେଳେ, ଏବେ ଭତ୍ତା ବଣ୍ଟା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସରକାରୀ ନିୟମ କୁ ଫୁ କରି ସରପଞ୍ଚଙ୍କ ସ୍ୱାମୀ ନିଜେ ଭତ୍ତା ବାଣ୍ଟିବା, ଭତ୍ତା ବଣ୍ଟନ ସମୟରେ କୌଣସି ସରକାରୀ ଅଧିକାରୀ ନ ରହିବା ଭତ୍ତା ଏବଂ ବଣ୍ଟନରେ ସ୍ୱଚ୍ଛତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।
ତେବେ କୌଣସି ସରକାରୀ ଅଧିକାରୀ ନ ଥାଇ ସାମାଜିକ ସୁରକ୍ଷା ଟଙ୍କା ବାଣ୍ଟିବା କେତେ ଯୁକ୍ତିଯୁକ୍ତ ? କାହା ନିର୍ଦ୍ଦେଶରେ ସରପଞ୍ଚଙ୍କ ସ୍ୱାମୀ ଏସବୁ କାର୍ଯ୍ୟ କରିବା ପାଇଁ ସାହସ କରୁଛନ୍ତି ? କିଏ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ? ଏପରି କାର୍ଯ୍ୟ ସେ କିପରି କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।
ସେହିପରି ଏପରି କାର୍ଯ୍ୟ କରିଥିବା ସରପଞ୍ଚଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ସେପଟେ ଏ ନେଇ କରଞ୍ଜିଆ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ବି ସରକାର ନିୟମ ଆଳ ଦେଖାଇ କୌଣସି ମତାମତ ଦେଇ ନଥିଲେ ।
ତେବେ ଏପରି ଖୁଲମଖୁଲା ସରକାରୀ ନିୟମ କାନୁନକୁ ଫୁ କରି ଭତ୍ତା ବାଣ୍ଟୁଥିବା ବଡ଼ଗାଁ ସରପଞ୍ଚଙ୍କ ସ୍ୱାମୀଙ୍କ ସହିତ ସେଦିନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛି ଜିଲ୍ଲା ପ୍ରଶାସନ ତାହା ଦେଖିବା ପାଇଁ ବାକି ରହିଲା।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ