ରାଇରଙ୍ଗପୁର: ବହଳଦା ବ୍ଲକ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁଆ ଗ୍ରାମରେ ପାଳିତ ହୋଇଯାଇଛି ଆଦିବାସୀମାନଙ୍କ ନବବର୍ଷ "ମାଘ ମୁଲୁଃ" । ତେବେ ମାରାଂବୁରୁ ସେମଲେଦ୍ କେନ୍ଦୁଆ ପକ୍ଷରୁ ଏହା ଆୟୋଜନ ହୋଇଥିବା ବେଳେ ଏଥିରେ ଗ୍ରାମର ପୁରୁଷମାନେ ରୋଷେଇ କରି ମହିଳାଙ୍କୁ ଖାଇବାକୁ ପରସି ନିଆରା ଢଙ୍ଗରେ ଏହି ନବ ବର୍ଷ ପାଳନ କରିଛନ୍ତି । ଏହାପରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭାରେ ସମସ୍ତେ ଏକାଠି ବସି ବିଭିନ୍ନ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନ କରିଥିଲେ।
ସଭାରେ ମୁଖ୍ୟ ଅତିଥୀ ଭାବେ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ, ମୂଖ୍ୟବକ୍ତା ତାରଣା ମାଝୀବାବା ରାମଚନ୍ଦ୍ର ହେମ୍ବ୍ରମ, ପରିବେଶ ବିଦ୍ ରାମଦାସ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଆଦିବାସୀ ସାମାଜରେ ବର୍ତ୍ତମାନ ରହିଥିବା ବିଭିନ୍ନ ସମସ୍ୟା ତଥା ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟତଃ ଆସନ୍ତା ଜନଗଣନାରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ସାର୍ନା ଧର୍ମକୋଡ ପ୍ରଦାନ କରା ନଗଲେ ସମଗ୍ର ଆଦିବାସୀ ସମାଜ ପକ୍ଷରୁ ଜନଗଣନାରେ ଅସହଯୋଗ କରାଯିବ ବୋଲି ଶପଥ ନେଇଥିଲେ ଏବଂ ପ୍ରତ୍ୟେକ ଗ୍ରାମରେ ପେସା ଗ୍ରାମସଭା ଗଠନ କରାଯାଇ ନିଜ ମାତୃଭାଷାକୁ ଭଲ ପାଇବା ସହ ପ୍ରତ୍ୟକ ଗ୍ରାମରେ ଅଲ୍ ଇତୁନ ଆଶ୍ରା(ସାନ୍ତାଳୀ ଭାଷା ଶିକ୍ଷାକେନ୍ଦ୍ର) ଖୋଲାଯିବା ନେଇ ସମସ୍ତଙ୍କୁ ଆଗଭର ହେବାକୁ କହିଥିଲେ।
ପରେ ପାରମ୍ପାରିକ ବାଦ୍ୟରେ ଆନନ୍ଦ ଉଲ୍ଲାସର ସହିତ ନାଚଗୀତ କରି ସମସ୍ତେ ନବବର୍ଷର ଆନନ୍ଦ ନେଇଥିଲେ। ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ତଥା ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ, ଗିଧିଘାଟି ମାଝୀବାବା ପ୍ରମୁଖ ଯୋଗ ଦେଇଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ