ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଏକ ଚେକ ବାଉନ୍ସ ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ସରଣ ବସ୍ତିଆ ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ୧ ଲକ୍ଷ ୮୦ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୨ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି । ଆସାମୀ ଜଣକ ହେଲେ ଦୈନିକ ଓଡ଼ିଆ ଖବରକାଗଜ 'ଅନୁଧ୍ୟାନ'ର ପ୍ରକାଶକ ତଥା ସମ୍ପାଦକ ବିକାଶ ଚନ୍ଦ୍ର ସେଠୀ (୪୮) । ସେ ବାରିପଦା ପ୍ରଫୁଲ ନଗର ସ୍ଥିତ ବିଜୁ ପଟ୍ଟନାୟକ ନର୍ସିଂ ଟ୍ରେନିଂ ସ୍କୁଲର ସମ୍ପାଦକ ମଧ୍ୟ ଅଟନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ ଜୁନ ୬ ତାରିଖରେ 'ବିଜୟ' ବିଜ୍ଞାପନ ସଂସ୍ଥା ମାଧ୍ୟମରେ ଏକ ଦୈନିକ ଖବରକାଗଜରେ ବିକାଶ ଚନ୍ଦ୍ର ସେଠୀଙ୍କ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାର ବିଲ୍ ବାବଦକୁ ୯୦ ହଜାର ଟଙ୍କା ପୈଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିଛି ଦିନ ପରେ ବିକାଶ ସେଠୀ ଏକ ଚେକ୍ ଦେଇଥିଲେ । ଜୁନ ୨୭ରେ ବିଜ୍ଞାପନ ସଂସ୍ଥା କାନାରା ବ୍ୟାଙ୍କରେ ସେହି ଚେକ ଜମା କରିଥିଲେ । ହେଲେ ଉକ୍ତ ଚେକର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନ ଥିବାରୁ ଚେକଟି ବାଉନ୍ସ ହୋଇଯାଇଥିଲା । ପରେ ବିକାଶ ଅନ୍ୟ ଏକ ଚେକ ଦେଇଥିଲେ ହେଁ ତାହା ମଧ୍ୟ ବାଉନ୍ସ ହୋଇଥିଲା । ଏହାକୁ ନେଇ ବିଜୟ ବିଜ୍ଞାପନ ସଂସ୍ଥାର ସ୍ବତାଧିକାରୀ ଡ଼ଃ ବିଜୟ କୁମାର ଅଗ୍ରୱାଲଙ୍କ ଅଭିଯୋଗକ୍ରମେ ଅଗଷ୍ଟ ୨୨ ତାରିଖରେ ବିକାଶ ଚନ୍ଦ୍ର ସେଠୀଙ୍କୁ ଲିଗାଲ ନୋଟିସ୍ ପଠାଯାଇଥିଲା ।
ନୋଟିସରେ ୧୫ ଦିନ ମଧ୍ୟରେ ବିଜ୍ଞାପନ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେ ଟଙ୍କା ନଦେବାରୁ ସେହି ବର୍ଷ ଅକ୍ଟୋବର ୯ରେ କୋର୍ଟରେ ୧ ସି(ସି) କେସ୍ ନମ୍ବର ୧୭୪/୨୦୧୭ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ନଥିପତ୍ରର ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ଆଇନଜୀବୀ ସୁବୋଧ ଦାସ ଏହି ମାମଲା ପରିଚାଳନା କରୁଥିଲେ । ପ୍ରକାଶଥାଉ କି, ବିକାଶ ଚନ୍ଦ୍ର ସେଠୀଙ୍କ ନାମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ବିଚାରଧୀନ ରହିଛି । ତାଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନା ଭଳି ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ରାଇରଙ୍ଗପୁର