ବାରିପଦା: ଦିନକୁ ଦିନ ବଢିଚାଲିଛି ଲୁଟେରାଙ୍କ ରାଜ୍ । କେଉଁଠି ଦିନଦ୍ବିପହରେ ପଦଯାତ୍ରୀଙ୍କ ଠାରୁ ଲୁଟି ନେଉଛନ୍ତି ସୁନା ଚେନ ତ ଆଉ କେଉଁଠି ହାତରୁ ଛଡେଇ ନେଇଯାଉଛନ୍ତି ନଗଦ ଟଙ୍କା ବ୍ୟାଙ୍କ । ପୁଣି ଏକ ଲୁଟ ମାମଲା ସାମନାକୁ ଆଛି । ଏଥର କିନ୍ତୁ କୌଣସି ବ୍ୟକ୍ତିଙ୍କ ଠାରୁ ନୁହେଁ ବରଂ ଏକ ସୋ ରୁମରୁ ରାତି ଅଧରେ ଲୁଟ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ଥିବା ମାରୁତି ସୁଜୁକି ସୋ ରୁମରୁ ଲୁଟ । କ୍ୟାଶ ବାକ୍ସରୁ ନଗଦ 1 ଲକ୍ଷ 95 ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା | ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ମସଜିଦ୍ ଛକ ନିକଟରେ ଥିବା ମାରୁତି ସୁଜୁକି ସୋ ରୁମରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି | କେହି ଦୁର୍ବୃତ୍ତ ସୋ ରୁମରେ ଥିବା ବାଥରୁମର ସ୍କାଏଲାଇଟ ଦେଇ ପ୍ରବେଶ କରିଛି ଏବଂ ସୋ ରୁମରେ ଥବା ଟେବୁଲ୍ର କ୍ୟାଶ ବାକ୍ସ ଭାଙ୍କି ସେଥିରେ ଥିବା ନଗଦ 1 ଲକ୍ଷ ୯୫ ହଜାର ଟଙ୍କା ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଥିବା ଜଣାଯାଇଛି |
ଆଜି ସକାଳେ ସୋ ରୁମ ଖୋଲିବା ପରେ କର୍ମଚାରୀମାନେ ଲୁଟ ହୋଇଥିବା ବାବଦରେ ଜାଣି ପାରି ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଂଟିଫିକ ଟିମ ଏବଂ ସନ୍ଧାନକାରୀ କୁକୁର ସହାୟତାରେ ଅଧିକ ତଦନ୍ତ ଜାରି ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ