ବାରିପଦା: କୋରୋନା ପାଇଁ ରାଜ୍ୟରେ ଜୁନ 1ରୁ ପଞ୍ଚମ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି । ଏହି ସମୟରେ ଗରିବ ଖଟିଖିଆ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି 'ହେଲ୍ପିଂ ଫ୍ୟାମିଲି' ।
ସଙ୍ଗଠନର ସମ୍ପାଦକ ଲଳିତ କୁମାର ମହାନ୍ତଙ୍କ ନେତୃତ୍ଵରେ ସଙ୍ଗଠନର କର୍ମକର୍ତ୍ତା ମାନେ ବାରିପଦା ସହର ଷ୍ଟେସନ ବଜାର ନିକଟରେ ଥିବା ଏକ ବସ୍ତିରେ ୩୦ରୁ ଅଧିକ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ବାରିପଦା ସହର ସମେତ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପାଇକବସା ପଞ୍ଚାୟତର ପାଣ୍ଡୁରା ଗାଁରେ ୪୦ରୁ ଅଧିକ ଗରିବ ଓ ଖଟିଖିଆ ପରିବାରକୁ ଶୁଖିଲା ଖାଦ୍ୟ ପ୍ୟାକେଟ ବାଣ୍ଟିଥିଲେ । ଏଥିସହିତ ମହାମାରୀ କୋରୋନା ସମ୍ପର୍କରେ ବସ୍ତିବାସିନ୍ଦାଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ । ପ୍ରଶାସନର ନଜରରେ ଆସି ନଥିବା ଶତାଧିକ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛି ଏହି ସଙ୍ଗଠନ ।
ଅସହାୟ, ଗରିବ, ଭିନ୍ନକ୍ଷମ, ମାନସିକ ବିକାରଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର କିଛି ଛାତ୍ର ଏକତ୍ରିତ ହୋଇ ହେଲ୍ପିଂ ଫ୍ୟାମିଲି ସଂଗଠନ ଆରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ନିଜ ଘରୁ ଆଣୁଥିବା ଟଙ୍କାରୁ କିଛି ସଞ୍ଚୟ କରି ଏହି ସଙ୍ଗଠନ ମାଧ୍ୟମରେ ଗରିବ ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ