ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଡାକ୍ତରଖାନା କର୍ମଚାରୀ ରକ୍ତ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଛି । ହସ୍ପିଟାଲରେ ବ୍ଲଡ ନଥିବା ଦର୍ଶାଇ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଇ ରକ୍ତ ଦେଉଛନ୍ତି ଡାକ୍ତରଖାନା କର୍ମଚାରୀ । ଯାହାର ଏକ ଭିଡିଓ ଭାଇରାଲ ହୋଇଛି ।
ଉଦଳା ବ୍ଲକ ଅଙ୍ଗାରପୋଡା ଗାଁର ସାଲାଗି ମାରାଣ୍ଡି ଚିକିତ୍ସା ଲାଗି ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର A+ ରକ୍ତ ଆବଶ୍ୟକ ଥିବାବେଳେ ଡାକ୍ତରଖାନାର ବ୍ଲକ ବ୍ୟାଙ୍କରେ ରକ୍ତ ନଥିବା ଦାୟିତ୍ବରେ ଥିବା ଜଣେ କର୍ମଚାରୀ କହିଥିଲେ । ଏହା ପରେ ଡାକ୍ତରଖାନାର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ବ୍ଲଡ ଯୋଗାଇ ଦେବାକୁ ଲାଞ୍ଚ ମାଗିଥିଲେ । ରବିବାର ଡାକ୍ତରଖାନାର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ପ୍ରଦୀପ ବେହେରାଙ୍କୁ ଚିକିତ୍ସିତ ହେଉଥିବା ସମ୍ପର୍କୀୟ 1500 ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ।
ଘଟଣା ସମ୍ପର୍କରେ ବ୍ଲଡ ବ୍ୟାଙ୍କର ମୁଖ୍ୟ ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଘଟଣାକୁ ନ ବଢାଇବାକୁ କହିଛନ୍ତି । ତେବେ ଏ ସମ୍ପର୍କରେ ଡାକ୍ତରଖାନାର ଟଙ୍କା ନେଇଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ଲଡ ପାଇଁ ରୋଗୀଙ୍କ ସମ୍ପର୍କୀୟ ବାଧ୍ୟ କରି ଟଙ୍କା ଦେଇଥିଲେ । ତେବେ ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ |
ସେପଟେ, ଏହି ଘଟଣା କେବଳ ଆଜିର ନା ପୂର୍ବରୁ ଗରିବ ଜନସାଧାରଣଙ୍କୁ ଟଙ୍କା ନେଇ ରକ୍ତ ଦିଆଯାଏ ତାହା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି |
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ