ବାରିପଦା: ବେତନଟୀ ଥାନା ପୋଲିସକୁ ସଫଳତା । ଏଟିଏମ ଡକାୟତି ପାଇଁ ଯୋଜନା ବେଳେ ତିନି ଜଣିଆ ଅପରାଧୀ ଗ୍ୟାଙ୍ଗକୁ ବାନ୍ଧିଲା ବେତନଟୀ ଥାନା ପୋଲିସ । ଏହାସହ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୩୫ ହଜାର ଟଙ୍କା, ବିଭିନ୍ନ ବ୍ରାଣ୍ଡର ୭ଟି ମୋବାଇଲ, ୧୧ଟି ମୋବାଇଲ ସିମ, ଗୋଟିଏ ମେମୋରୀ କାର୍ଡ, 8ଟି ବିଭିନ୍ନ ବ୍ୟାଙ୍କ ଏଟିଏମ କାର୍ଡ, 2ଟି ଜୁପିଟର କାର୍ଡ ଜବତ କରିଛି ପୋଲିସ ।
ସୂଚନାଅନୁସାରେ, ସୋମବାର ବିଳମ୍ବିତ ରାତିରେ ତିନି ଜଣ ସନ୍ଦିଗ୍ଧ ଯୁବକ ବେତନଟୀ ବଜାର କୋର୍ଟ ଛକରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ନିକଟରେ ଏକ କାର ଆସି ଦୀର୍ଘ ସମୟ ଧରି ଛିଡା ହୋଇଥିଲେ । ବେତନଟୀ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ ଦେଖି ପଚରା ଉଚରା କରିଥିଲେ । କିନ୍ତୁ ଯୁବକ ତିନି ଜଣ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଫଳରେ ପୋଲିସ ସନ୍ଦେହ କରି ସେମାନଙ୍କ କାରକୁ ଯାଞ୍ଚ କରିଥିଲେ।
ଯାଞ୍ଚ ପରେ ଗାଡିରୁ ୧ଲକ୍ଷ ୩୫ ହଜାର ଟଙ୍କା, ବିଭିନ୍ନ ବ୍ରାଣ୍ଡର ୭ ଟି ମୋବାଇଲ, ୧୧ଟି ମୋବାଇଲ ସିମ, ଗୋଟିଏ ମେମୋରୀ କାର୍ଡ, 8ଟି ବିଭିନ୍ନ ବ୍ୟାଙ୍କ ଏଟିଏମ କାର୍ଡ, 2ଟି ଜୁପିଟର କାର୍ଡ ଜବତ ହୋଇଥିଲା । ଗିରଫ ତିିନି ସାଇବର ଡକାୟତ ହେଲେ ବୈଶିଙ୍ଗା ଥାନା ଯଦିଡା ଗ୍ରାମର ରାଜେଶ କୁମାର ଲେଙ୍କା, କାହ୍ନୁ ଚରଣ ବେହେରା ଓ ମାନଗୋବିନ୍ଦପୁରର ରଶ୍ମି ରଞ୍ଜନ ଭୋଳ । ଏହି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ଥାନା ପୋଲିସ ।
ଇଟିଭି ଭାରତ, ମୟୂରଭଞ୍ଜ