ରାଇରଙ୍ଗପୁର: 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ସମାଲୋଚନା କରିବା ମହଙ୍ଗା ପଡ଼ିଥିଲା ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ । ଏନେଇ ବ୍ୟାଙ୍କ ମିତ୍ର ଭାରତୀ ସିଂ ନିଜ ଚାକିରି ହରାଇଥିବା ଅଭିଯୋଗ ହୋଇଥିଲା । ଭାରତୀ ସିଂଙ୍କୁ ନିଲମ୍ବନ କରାଯିବାର ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପରିବେଷଣ ହୋଇଥିଲା । ଶେଷରେ ୨୫ ଦିନ ପରେ ପୁନଃ ନିଯୁକ୍ତି ପାଇଲେ ଭାରତୀ । ଆଜି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ରାଜ୍ୟ ବ୍ୟାଙ୍କ ମିତ୍ର ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଭାରତୀ ସିଂଙ୍କୁ ପୁନଃ କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଲୋୟର ପିଏମଜି ଠାରେ ଓଡ଼ିଶା ବ୍ୟାଙ୍କମିତ୍ର ସଂଘ ପକ୍ଷରୁ ସେପ୍ଟେମ୍ବର ମାସ ୧୧ ତାରିଖରେ ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯେଉଁ ବିକ୍ଷୋଭ ପ୍ରଦର୍ଶନରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟାଙ୍କ ମିତ୍ର ସବୁ ଉପସ୍ଥିତ ରହିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟରତ ଭାରତୀ ସିଂ ମଧ୍ୟ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ଉପସ୍ଥିତ ଥାଇ ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ସେଠାରେ ଭାରତୀ ସିଂ 5T ସଚିବଙ୍କ ବିରୁଦ୍ଧରେ ସମାଲୋଚନା କରିବା ସହିତ ଗଣମାଧ୍ୟମ ସାମ୍ନାରେ ମଧ୍ୟ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଯାହାକୁ ନେଇ ସେପ୍ଟେମ୍ବର ମାସ ୧୫ ତାରିଖରେ ଏକ ବୈଠକ ଡ଼କାଯାଇ ଭାରତୀଙ୍କୁ ତିନି ମାସ ନିଲମ୍ବିତ କରାଯାଇଥିଲା । କିନ୍ତୁ ଭାରତୀଙ୍କ ନିଲମ୍ବନ ପତ୍ରରେ ଭାରତୀ ସିଂ ନିୟମିତ ବ୍ୟାଙ୍କ ନଆସିବା, ସ୍ବୟଂ ସହାୟିକା ଗୋଷ୍ଠୀ ମାଆମାନଙ୍କୁ ଭଲ ବ୍ୟବହାର ନକରିବା, ମନ ଇଚ୍ଛା ଛୁଟିରେ ରହିଯିବା ଓ ସରକାରଙ୍କ ଯୋଜନାର ସଠିକ କାର୍ଯ୍ୟ ନହେବା ଭଳି କାରଣ ଦର୍ଶାଇଯାଇଥିଲା ।
ଏହା ମଧ୍ୟ ପଢନ୍ତୁ....NHRCରେ ପହଞ୍ଚିଲା ଭାରତୀ ସିଂଙ୍କୁ ନିଲମ୍ବନ ଘଟଣା
ଉକ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଭାରତୀଙ୍କ ସପକ୍ଷରେ ସଂଘ ଛିଡ଼ା ହେବା ସହିତ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଏଥି ସହିତ ଭୁବନେଶ୍ବର ସ୍ଥିତ ଲୟୋର ପିଏମଜିରେ ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ପ୍ରତିକ୍ରିୟା ଯୋଗୁଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଥିବାର ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସାରା ରାଜ୍ୟରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ପରେ ପୁଣି ଭାରତୀଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର ।
ଇଟିଭି ଭାରତ, ରାଇରଙ୍ଗପୁର