ବାରିପଦା: ଅଗ୍ନି କବଳରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ୱେଚ୍ଛାସେବୀ । ଜନ ସଚେତନତା ଜରିଆରେ ଲୋକଙ୍କୁ ଶିମିଳିପାଳ ଅଭୟାରଣ୍ୟକୁ ଅଗ୍ନି ଦାଉରୁ ସୁରକ୍ଷା ଯୋଗାଇବା ପାଇଁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଉଦଘାଟିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ମୟୂରଭଞ୍ଜ ବନବିଭାଗ ମିଳିତ ସହଯୋଗରେ ସ୍ଥାନୀୟ ଛଉ ପଡିଆରେ ଏ ନେଇ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଡ. ଶୁଭେନ୍ଦୁ ଦାସଙ୍କ ପୌରହିତ୍ୟରେ ଏ ଅଭିଯାନ ଆରମ୍ଭ କରାଯାଇଥିଲା । ଏ ଅବସରରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଦକ୍ଷିଣ)ର ଉପନିର୍ଦ୍ଦେଶକ ସାଇ କିରଣଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସବୁଜ ପତାକା ଦେଖାଇ ସଚେତନତା ରାଲିକୁ ଉଦଘାଟନ କରିଛନ୍ତି। ଏନଏସଏସ ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଅନୁଷ୍ଠିତ ରାଲି ଛଉ ପଡ଼ିଆରୁ ବାହାରି ବାରିପଦା ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଛି।
ସପ୍ତାହ ମଧ୍ୟରେ ଜିଲ୍ଲାର ବାରିପଦା ସମେତ କରଞ୍ଜିଆ, ରାଇରଙ୍ଗପୁର ଓ ଉଦଳା ବନଖଣ୍ଡ ଅଧୀନରେ ଥିବା ୧୪ଟି କଲେଜର ସ୍ୱେଚ୍ଛାସେବୀ ମାନେ ବୁଲି ସଚେତନ କରିବେ । ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ୧୧୦ଟି ଗ୍ରାମରେ ଗ୍ରାମବାସୀମାନଙ୍କ ସହାୟତାରେ କିପରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯିବା ନେଇ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଥାଉକି, ୨୦୨୧ମସିହାରେ ଶିମିଳିପାଳରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଯାହାକି ବିଶ୍ୱ ସ୍ତରରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା। ଏହା ପରେ ରାଜ୍ୟ ସରକାର ବନାଗ୍ନି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା ସହିତ ଟାସ୍କ ଫୋର୍ସ ଗଠନ କରିଥିଲେ। ଚଳିତ ବର୍ଷ ଜିରୋ ଫାୟାରକୁ ଗୁରୁତ୍ୱ ଦେଇ ପ୍ରଶାସନ ଓ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜିଲାରେ ସଚେତନା ସୃଷ୍ଟି ପାଇଁ ଜାତୀୟ ସେବା ଯୋଜାନ ପକ୍ଷରୁ ସହଯୋଗର ହାତ ବଢାଇଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ