ମାଲକାନଗିରି: ବାପାଙ୍କ ପାଇଁ ପୁଅର ଆକୁଳ ନିବେଦନ । ହସ୍ପିଟାଲରେ ଚିକିତ୍ସାଧୀନ ପିତାଙ୍କ ପାଇଁ ସହାୟତା ମାଗୁଛି ଅସହାୟ ପୁଅ । କାନ୍ଦି କାନ୍ଦି କେନ୍ଦ୍ର ସରକାର, ରାଜ୍ୟ ସରାକର ଏବଂ ଜିଲ୍ଲା ପ୍ରଶାସନ ପାଖରେ ସହାୟତା ପାଇଁ ନିବେଦନ କରିଛି ପୁଅ ।
ଭିଡିଓ ଜାରି କରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଛି ପୁଅ । ମାଲକାନଗିରି ଏମଭି-79ର ତମାଲ ବାକଚୀ ଚିକିତ୍ସାଧୀନ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଲୁହ ଛଳ ଛଳ ଆଖିରେ ସାହାଯ୍ୟ ଭିକ୍ଷା କରିଛି ।
ସୂଚନା ଅନୁଯାୟୀ, ତମାଲଙ୍କ ବାପାଙ୍କ ଖାଦ୍ୟ ନଳିରେ ଛିଦ୍ର ହେଇଥିବାରୁ ତାଙ୍କୁ ଜଗଦଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅପରେସନ କରାଯାଇଥିଲା । ଅପରେସନର କିଛି ଦିନ ପରେ ଜଣାପଡିଥିଲା ଯେ ସେହି ସ୍ଥାନରେ ସଂକ୍ରମଣ ହୋଇଛି l ଫଳରେ ପୁଣି ଥରେ ତାଙ୍କର ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଉ ଥରେ ଅପରେସନ କରାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ତମାଲ ବାପା ଦେବେନ୍ଦ୍ର ବାଗଚୀଙ୍କ ଚିକିତ୍ସାରେ ପ୍ରାୟ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଯାହାକି ସେ ନିଜ ଘର ବାଡି ବନ୍ଧକ ରଖି ଖର୍ଚ୍ଚ କରିଛନ୍ତି । ସେପଟେ ଚିକିତ୍ସା ପାଇଁ ଆହୁରି ଦୁଇ ଲକ୍ଷ ଟଙ୍କା ଆବଶ୍ୟକ ହୋଇପଡିଛି । ତେବେ ତାଙ୍କ ପାଖରେ ଆଉ ଟଙ୍କା ନଥିବାବେଳେ ସହାୟତା ପାଇଁ ନିରୁପାୟ ହୋଇ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ତମାଲ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ