ମାଲକାନଗିରି: ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜକୋଷରୁ ହଜାର ହଜାର କୋଟି ବ୍ୟୟ କରୁଛନ୍ତି ରାଜ୍ୟ ତଥା କେନ୍ଦ୍ର ସରକାର । ମାଳ ମାଳ ଯୋଜନା ହେଉଛି ରାଜ୍ୟରେ । ହେଲେ କେଉଁଠି ଡାକ୍ତରଖାନାରେ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଘଟୁଛି ତ କେଉଁଠି ଆମ୍ବୁଲାନ୍ସଟିଏ ନ ପହଞ୍ଚିବାରୁ ଖଟିଆରେ ବୁହା ହେଉଛି ରୋଗୀ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବିକଳାଙ୍କ ହୋଇଛି ସ୍ବାସ୍ଥ୍ୟସେବା ।
ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ସ୍ବାସ୍ଥ୍ୟସେବାର ସେଭଳି କିଛି ବିକଳ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଦୀର୍ଘ ୧୨ କିଲୋମିଟର ଝୁଡିରେ ବୁହା ହେବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ରୋଗୀ । ସୂଚନା ଅନୁଯାୟୀ, ବଣ୍ଡାଘାଡି ଅନ୍ତର୍ଗତ ବେଲଗୁଡା ଗ୍ରାମର ସମ୍ବାରି କୀର୍ସାନିଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ।
ଗାଁକୁ ରାସ୍ତା ଓ ଘାଟି ଅଞ୍ଚଳରେ ମୋବାଇଲ ସେବା ନଥିବାରୁ ଆମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା । ଶେଷରେ ଏକ କାଉଡି ଓ ଝୁଡି ସାହାଯ୍ୟରେ ଦୀର୍ଘ ୧୨ କିଲୋମିଟର ପଥୁରିଆ ଘାଟି ରାସ୍ତାରେ ରୋଗୀଙ୍କୁ ବୋହି ମୁଦୁଲିପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ପରିବାର ଲୋକେ ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବାରୀଙ୍କୁ ମୁଦୁଲିପଡା ଠାରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ ଡାକ୍ତର । ସମ୍ବାରୀ ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ସୁସ୍ଥ ଥିବା ଜଣାପଡ଼ିଛି । ହେଲେ ଏଠି ପ୍ରଶ୍ନ ଉଠୁଛି, ଏ ତମାମ୍ ଯୋଜନା କାହା ପାଇଁ ଏବଂ କେବେ ସୁଧୁରିବ ବଣ୍ଡାଘାଟିର ସ୍ବାସ୍ଥ୍ୟସେବା ?
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ