ମାଲକାନଗିରି: ପିଲାଏ ପାଠ ପଢିବେ, ସୁନାଗରିକ ହେବେ, ସୁନ୍ଦର ଭବିଷ୍ୟତ ସହ ସୁନ୍ଦର ସମାଜ ଗଢିବେ । କାହିଁକି ନା ଆଜିର ଛାତ୍ର, ଆଗାମୀ ଦିନର ଭବିଷ୍ୟତ । ଏହାକୁ ଦୃଷ୍ଟିରେ ରଖି ପିଲା କିପରି ପାଠ ପଢିବା ପ୍ରତି ଆଗ୍ରହ ପ୍ରକାଶ କରିବା ସହ ସ୍କୁଲ ଆସିବେ ସେନେଇ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ଏଥିରେ ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି । ପାଠପଢିବା ସମୟରେ ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଛାତ୍ର । ଯେଉଁ ହାତରେ କଲମ ଧରି ଲେଖିବା କଥା ସେହି ହାତରେ କରଣୀ ଧରି ବିଦ୍ୟାଳୟ ପାଚେରୀ କରୁଛନ୍ତି ପିଲାଏ । ଜଣେ କି ଦୁଇ ଜଣ ନୁହଁ ତିନିରୁ ଚାରିଜଣ ଛାତ୍ର ପାଚେରୀ କାମରେ ଲାଗିପଡିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମାଲକାନଗିରି ଜିଲ୍ଲା ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଂସାରିପୁଟ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବେହେରା ପିଲାଙ୍କୁ ପାଠ ପଢାଇବା ବଦଳରେ ଭଙ୍ଗା ପାଚେରୀ ମରାମତି କରିବାରେ ନିୟୋଜିତ କରିଛନ୍ତି । ଯାହା ଶିଶୁ ଶ୍ରମିକ ଆଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରାଯାଉଥିବା ଦେଖିବାକୁ ମିଳିଛି । ଯଦି ପିଲାଏ ଏପରି କାର୍ଯ୍ୟ କରିବେ ତେବେ ଭବିଷ୍ୟତଦଣ ହେବେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢନ୍ତୁ-ପ୍ରହସନ ଶିକ୍ଷା ବ୍ୟବସ୍ଥା, ଦୀର୍ଘ 7 ବର୍ଷ ହେବ ଶିବ ମନ୍ଦିରରେ ଚାଲିଛି ସ୍କୁଲ
ଏନେଇ ମାଲକାନଗିରି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,'' ଏ ଘଟଣା ସମ୍ପର୍କରେ ମୁଁ ଅବଗତ ଅଛି, ଏହା ଅତ୍ୟନ୍ତ ନିନ୍ଦନୀୟ । ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ରିପୋର୍ଟ ଆସିବା ପରେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଜେନା'' । ଖାଲି ଦେଖିବାକୁ ବାକି ରହିଲା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଇଟିଭି ଭାରତ, ମାଲକାନଗିରି