ମୋଦିଙ୍କ ଲୋକପ୍ରିୟତାରେ ଡରୁଛନ୍ତି ରାଜ୍ୟ ସରକାର: ବିଶେଶ୍ଵର ଟୁଡୁ - ବିଜେଡି ସରକାର ଉପରେ ବର୍ଷିଲେ ବିଶେଶ୍ଵର ଟୁଡୁ
କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ମାଲକାନଗିରି ଗସ୍ତ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଲେ । ଅଧିକ ପଢ଼ନ୍ତୁ
Published : Oct 20, 2023, 10:39 PM IST
ମାଲକାନଗିରି: କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ବିଶେଶ୍ଵର ଟୁଡୁଙ୍କ ଓଡ଼ିଶା ଗସ୍ତ । ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଛତିଶଗଡ଼ରୁ ମାଲକାନଗିରି ଆସିଥିଲେ କେନ୍ଦ୍ରମନ୍ତ୍ରୀ । ତେବେ ଗତକାଲି ସନ୍ଧ୍ୟା ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ମାଲକାନଗିରି ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ "ମୋ ମାଟି ମୋ ଦେଶ" କାର୍ଯ୍ୟକ୍ରମ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।
ଆଜି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ତଥା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିଭଳି ସଫଳ ରୂପାୟନ ହେଉଛି ସେ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ସହିତ ଏକ ବୈଠକ କରିଛନ୍ତି । ପରେ ସର୍କିଟ ହାଉସ ଠାରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଟୁଡୁ । ଏହି ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ସହିତ ବିଜେପିର ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ତେବେ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଟୁଡୁ଼ କହିଛନ୍ତି, "ମାଲକାନଗିରି ଜିଲ୍ଲାରେ ମନରେଗା ଯୋଜନାରେ ଲୋକ ଲାଗିବା ଜାଗାରେ ମେସିନ ଦ୍ବାରା କାର୍ଯ୍ୟ ଶେଷ କରାଯାଇଛି । ବିଭିନ୍ନ ଯାଗାରେ କାର୍ଯ୍ୟ ହୋଇନାହିଁ କିନ୍ତୁ ତାହାର ବିଲ୍ ହୋଇଯାଇଛି । ତାହା କିପରି ସମ୍ଭବ ହେଲା? । ଏହାସହ ପିଇବା ପାଣି ପାଇଁ ଅନେକ ଯାଗାରେ ଟାଙ୍କି କାମ ସମାପନ ହୋଇ ପାଇପ୍ ଲାଇନ କାମ ମଧ୍ୟ ସରି ଯାଇଛି, ତଥାପି ଲୋକଙ୍କ ଘରେ ପାଣି ପହଞ୍ଚି ପାରୁନାହିଁ । କିଛି ସଙ୍ଘୀୟ ବ୍ୟବସ୍ଥାରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ପଇସା ଦିଅନ୍ତି ଏବଂ ରାଜ୍ୟ ସରକାର ତାଙ୍କର ମେକାନିଜମ ଉପରେ କାର୍ଯ୍ୟ କରନ୍ତି । ପରେ ସେହି କାର୍ଯ୍ୟକୁ କେହି ତଦାରଖ କିମ୍ବା ଦେଖନ୍ତି ନାହିଁ । ଯାହାଫଳରେ ବାସ୍ତବରେ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ ।"
ଏହା ମଧ୍ୟ ପଡ଼ନ୍ତୁ....ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ, ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି: ବିଜେପି
ଟୁଡୁ଼ ଏହା ମଧ୍ୟ କହିଛନ୍ତି "ବିଜେଡି ସରକାର ୨୩ବର୍ଷ ଧରି ରାଜ୍ୟରେ ଶାସନ କରୁଛି । ବିଜୁ ଯୁବ ବାହିନୀ, ପିଠା ଯୋଜନା, ଆମ ଗାଁ ଆମ ବିକାଶ ଭଳି ଯୋଜନା କରି ରାଜ୍ୟରେ ଲୋକଙ୍କୁ ଭୁଆଁ ବୁଲାଉଛି ବିଜେଡି । ଯେଉଁଠି ରାସ୍ତା ଘାଟର ଠିକଣା ନାହିଁ । ଯେଉଁଠି ଲୋକ ଖଟିଆରେ ବୁହା ହେଉଛନ୍ତି ସେଠି ଲକ୍ଷ୍ମୀ ଯୋଜନା କି କାମ କରିବ । ନିର୍ବାଚନ ଆସିଲେ ବିଜେଡି ଭେଳିକି ଦେଖାଏ । ଯେହେତୁ ଆଗକୁ ନିର୍ବାଚନ ଆସୁଛି ମୋଦିଙ୍କ ଲୋକପ୍ରିୟତା ଦେଖି ବିଜେଡି ସରକାର ଡରିଗଲାଣି ।"
ଇଟିଭି ଭାରତ, ମାଲକାନଗିରି