ମାଲକାନଗିରି: ଜୀବନ ଜୀବିକା ପାଇଁ ଆଦିବାବାସୀଙ୍କ ରଣହୁଙ୍କାର । ସରକାରଙ୍କ ବିରୋଧରେ ସଂଗ୍ରାମର ଆହ୍ବାନ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ରେଙ୍ଗାବନ୍ଧ ଗାଁରେ । ହାତରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଚାଲିଛି ଆଦିବାସୀଙ୍କ ଆନ୍ଦୋଳନ । ପଥର ଖନନକୁ ବିରୋଧ କରି ଜିଲ୍ଲା ପ୍ରଶାସନ ଓ ଖଣି ମାଲିକଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ଆଦିବାସୀ ।
ଅଭିଯୋଗ ହୋଇଛି ପିଢୀ ପିଢୀ ଧରି ଅକ୍ତିଆର କରିଥିବା ଜମିକୁ ଏବେ ସରକାର ବିନା ସୂଚନାରେ ଘରୋଇ ସଂସ୍ଥାକୁ ପଥର ଖନନ ପାଇଁ ଦେଇଛନ୍ତି ଅନୁମତି । ଯାହାକୁ ବିରୋଧ କରିଛନ୍ତି ରେଙ୍ଗାବନ୍ଧ ଗାଁର ଆଦିବାସୀ । ଏମାନଙ୍କ ଚାଷ ଜମିରରେ ପଥର ଖନନ କରାଗଲେ ଫସଲ ନଷ୍ଟ ହେବା ସହ ଜଳବାୟୁ ଦୂଷିତ ହେବ ବୋଲି କହିଛନ୍ତି । ତେଣୁ ନିଜର ଜୀବିକା ପାଇଁ ଜୀବନ ଦେବେ ହେଲେ ଇଞ୍ଚେ ଜମି ଛାଡିବେ ନାହି ବୋଲି ଆଦିବାସୀ ଧମକ ଦେଇଛନ୍ତି ।
ଗୋଟିଏ ପଟେ ଆଦିବାସୀଙ୍କୁ ସରକାର ଜମି ମାଲିକାନାର ପଟ୍ଟା ଦେଉଛନ୍ତି ତ ଅନ୍ୟପଟେ ଖଣି ଖନନର ଅନୁମତି । ପ୍ରଶାସନର ଏଭଳି ଦ୍ବୈତ ନୀତି ଯୋଗୁଁ ଏବେ ବିବାଦରେ ପଥର କୁଆଁରୀ । ସେପଟେ ନିୟମ ଅନୁଯାୟୀ ଖଣି ଖନନ ପାଇଁ ଟେଣ୍ଡର ପାଇଥିବା କହିଛନ୍ତି କ୍ରସର ମାଲିକ । ଏପରିସ୍ଥଳେ ମାଲକାନଗିରି ତହସିଲଦାର ମଧ୍ୟ ଖଣି ମାଲିକଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ଏଠି ପ୍ରଶ୍ନ ଉଠୁଛି ବିନା ଜନ ଶୁଣାଣୀରେ ଆଦିବାସୀଙ୍କ ଜମି କିଭଳି ଭାବରେ ଖଣି ଖନନ ପାଇଁ ଅନୁମତି ଦିଆଗଲା ।
ସରକାର ଓ ଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ କେବେ ସମାଧାନ ହେଉଛି ଏବଂ ଆଦିବାସୀଙ୍କୁ କେବେ ନ୍ୟାୟ ମିଳୁଛି ତାହାକୁ ଅପେକ୍ଷା ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ