ମାଲକାନଗିରି: ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତ ଛତିଶଗଡରେ ମାଓ ହିଂସା ଥମିବାର ନା ଧରୁନାହିଁ । ସୁକୁମା ଜିଲ୍ଲା ଅନ୍ତର୍ଗତ ଏରାବୋର ଗାଁରେ ଥିବା ବିଏସଏନଏଲ୍ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ ।
ପ୍ରାୟ 15 ଜଣ ସଶସ୍ତ୍ର ମାଓବାଦୀ ଏରାବୋର ଗାଁରେ ପହଞ୍ଚି ମୋବାଇଲ ଟାୱାରକୁ ଧ୍ବଂସ କରିବା ସହ ରାଜରାସ୍ତା ଉପରେ ପଥର ଓ ମାଓ ପୋଷ୍ଟର ରଖି ରାସ୍ତା ଅବରୋଧ କରିଥିଲେ । ତେବେ ଶୁକ୍ରବାର ସକାଳେ ସିଆରପିଏଫ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକୁ ହଟାଇଛନ୍ତି ।
ମାଲକାନଗିରି ଜିଲ୍ଲା ମୋଟୁ ସିମାନ୍ତ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଜାତୀୟ ରାଜପଥ ଉପରେ ମାଓବାଦୀ ମାନେ ଏହି ହିଂସା କାଣ୍ଡ ଘଟାଇଛନ୍ତି । ଯାହାକୁ ନେଇ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ମାଲକାନଗିରି ଏସପି କହିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ