ମାଲକାନଗିରି: ଜିଲ୍ଲାରେ ବାରମ୍ବାର ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା କରାଯାଉଛି । ଯାହାଦ୍ବାରା ୪ କୋଟି ଓଡ଼ିଆଙ୍କ ଭାବାବେଗରେ ଆଘାତ ଲାଗିଛି । ମଞ୍ଚ ଉପରେ ମହାପ୍ରଭୁଙ୍କୁ ଜୋତା ପିନ୍ଧି ଫୁଲ ଅର୍ପଣ କଲେ ଜଣେ ଶିକ୍ଷୟିତ୍ରୀ (Teacher disrespect to lord Jagannath) । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇଦିନ ପୂର୍ବରୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମାଲକାନଗିରି ଜିଲ୍ଲା ପରିଷଦର ଅଧ୍ୟକ୍ଷା ଚପଲ ପିନ୍ଧି ମହାବାହୁଙ୍କୁ ଧୂପ ଦେଇଥିଲେ । ଏହାର ମଧ୍ୟ ଫଟୋ ଭାଇରାଲ୍ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।
ଗୁରୁବାର ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଜୋତ୍ସ୍ନାବାଳା ପ୍ରଧାନ ମହାପ୍ରଭୁଙ୍କୁ ଅପମାନ କରିଛନ୍ତି । ମାଲକାନଗିରି ଜିଲ୍ଲାର ଏକଲବ୍ୟ ବିଦ୍ୟାଳୟରେ ଛାତ୍ରୀଙ୍କୁ ନେଇ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦଘାଟନ ହୋଇଛି । ଏହାକୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବାପୁର୍ବରୁ ଜୋତ୍ସ୍ନାବାଳା ପ୍ରଧାନ ଜୋତା ପିନ୍ଧି ମହାପ୍ରଭୁଙ୍କ ନିକଟରେ ଫୁଲ ସଜାଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ମହାପ୍ରଭୁଙ୍କ ନିକଟରେ ପୂଜର୍ଚ୍ଚନା କରିଥିଲେ । ଏହାପରେ ଶିକ୍ଷୟିତ୍ରୀ ଜଣକ ପୁନଃ ମହାପ୍ରଭୁଙ୍କ ନିକଟରେ ଫୁଲ ଅର୍ପଣ କରିବା ସହ ଜୋତା ପିନ୍ଧି ପ୍ରଣାମ କରୁଛନ୍ତି ।
ଏହାପୂର୍ବରୁ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ଚପଲ ପିନ୍ଧି ପୂଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା ।
ମଙ୍ଗଳବାର ଜିଲ୍ଲା ପୁରୁଣା ମେଡିକାଲ୍ ପରିସରରେ ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପରେ ଯୋଗ ଦେବାକୁ ପହଞ୍ଚିଥିଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ଥିଲେ । ଏହି ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଚପଲ ପିନ୍ଧି ମହାପ୍ରଭୁଙ୍କ ପୂଜା କରିଥିଲେ । ଯାହାର ଫଟୋ ଭାଇରାଲ୍ ହୋଇଥିଲା ।
ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ମାଲକାନଗିରି ଜିଲ୍ଲା ସନାତନ ପରିଷଦ, ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଘୋର ବିରୋଧ କରାଯାଇଛି । ତା ସହିତ ବ୍ରାହ୍ମଣ ସମାଜ ମଧ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରି ପାରିନି । ମହାପ୍ରଭୁଙ୍କୁ ଅବମାନନା କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାଲକାନଗିରି ଜିଲ୍ଲା ସନାତନ ପରିଷଦ, ବିଶ୍ବହିନ୍ଦୁ ପରିଷଦ ଓ ସହିତ ବ୍ରାହ୍ମଣ ସମାଜ ।