ମାଲକାନଗିରି: ଗରିବ ଅସହାୟଙ୍କ ପାଇଁ ପୁଣି ସ୍ଵର ହୋଇ ସାମ୍ନାକୁ ଆସିଲା ଇଟିଭି ଭାରତ । ଯାହାର ମହାପ୍ରଭାବ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିରେ । 2 ଲକ୍ଷ ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ପଡିଥିଲେ ମାଲକାନଗିରି ଜିଲ୍ଲାର ଜଣେ ଗରିବ ରୋଗୀ । ଏମିତିକି ନିଜ ବାପା ଦେବେନ୍ଦ୍ରଙ୍କ ଚିକିତ୍ସା ଲାଗି 2 ଲକ୍ଷ ଟଙ୍କା ଦରକାର ବୋଲି ପୁର୍ବରୁ ଡାକ୍ତର କହିଥିବା ବେଳେ ଜମି ବାଡି ସବୁ ବନ୍ଧକ ରଖି 5 ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ପୁଅ । ତାଙ୍କ ପାଖରେ ଆଉ ଅର୍ଥ ନଥିବା ବେଳେ ବାପାଙ୍କ ଚିକିତ୍ସା ପାଇଁ ମେଡିକାଲ କର୍ତ୍ତୃପକ୍ଷ ପୁଣି 2 ଲକ୍ଷ ଟଙ୍କା ମାଗୁଥିବା କଥାକୁ ଭିଡିଓ ମାଧ୍ୟମରେ ଜଣାଇଥିଲେ ଜିଲ୍ଲାର ଏମଭି 79 ଅଞ୍ଚଳର ତମାଲ ବାଗଚି ।
ଭିଡିଓ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର ସହାୟତା ପାଇଁ ସୋସିଆଲ ମିଡିଆ ଜରିଆରେ ଗୁହାରି କରିଥିଲେ । ଏଭଳି ଏକ ସମ୍ବେଦନଶୀଳ ଖବରକୁ ଇଟିଭି ଭାରତ ଅତ୍ୟନ୍ତ ଗୁରୁତର ସହ ନେଇ ସର୍ବ ପ୍ରଥମେ ଖବର ପ୍ରସାରଣ କରିଥିଲା । ଆଉ ଇଟିଭି ଭାରତରେ ଖବର ପ୍ରସାରଣ ହେବାର କିଛି ସମୟ ମଧ୍ୟରେ ସକ୍ରିୟ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଉ ଏହା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ତଦନ୍ତ ।
ପରେ ପ୍ରଶାସନ ଜାଣିବାକୁ ପାଇଥିଲା କି ତମାଲ ବାଗଚିଙ୍କ ବାପା ଦେବେନ୍ଦ୍ରଙ୍କ ଖାଦ୍ୟ ନଳୀରେ ଏକ ଛିଦ୍ର ହୋଇଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ହେଲେ ତାଙ୍କର ଉତ୍ତମ ଚିକିତ୍ସା ସହ ଅପରେସନ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ରେଫର କରାଯାଇଥିଲା । କିନ୍ତୁ କାହାକୁ କିଛି ନ କହି ନିଜ ବାପାଙ୍କୁ ଛତିଶଗଡ ଜଗଦଲପୁରର ଏକ ଘରୋଇ ଚିକିତ୍ସାଳୟକୁ ନେଇ ବାପାଙ୍କର ଅପରେସନ କରାଇଥିଲେ ତମାଲ ।
ଅପରେସନର କିଛି ଦିନ ପରେ ସେହି ସ୍ଥାନରେ ପୁଣି ସଂକ୍ରମଣ ହେବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ଅପରେସନ ପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଦରକାର ବୋଲି ପୂର୍ବରୁ ଡାକ୍ତର କହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ ତମାଲ । ଏମିତି କି ବାପାଙ୍କ ଚିକିତ୍ସା ପାଇଁ ନିଜର ଜମି ବାଡି ମଧ୍ୟ ସବୁ କିଛି ମଧ୍ୟ ବନ୍ଧକ ପକାଇ ସାରିଥିଲେ ତମାଲ ।
ଏହା ମଧ୍ୟ ପଢନ୍ତୁ: ପିତାଙ୍କ ଚିକିତ୍ସା ଲାଗି ସରକାରଙ୍କ ସହାୟତା ଲୋଡିଲେ ପୁଅ
ହେଲେ ଅର୍ଥାଭାବରୁ ବାପାଙ୍କ ଅଧିକା ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନ ପାଖରେ କୋହଭରା କଣ୍ଠରେ ଗୁହାରୀ କରିଥିଲେ ପୁଅ ତମାଲ । ଖବର ପାଇ ଏହାର ତଦନ୍ତ କରି ସମ୍ପୂର୍ଣ୍ଣ ରିପୋର୍ଟ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦିଆଯିବା ପରେ ତମାଲ ବାଗଚିଙ୍କ ବାପା ଦେବେନ୍ଦ୍ର ବାଗଚିଙ୍କ ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏହାସହ ଏଭଳି ସମ୍ବେଦନଶୀଳ ଖବରଟିକୁ ଗୁରୁତ୍ଵର ସହ ନେଇ ପ୍ରଥମ କରି ଖବର ପ୍ରସାରଣ କରିଥିବାରୁ ଇଟିଭି ଭାରତକୁ ଅନେକ ଧନ୍ୟବାଦ ଦେଇଛନ୍ତି ମାଲକାନଗିରି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ