ମାଲକାନଗିରି: ଜିଲ୍ଲାରେ ଦୁଇଦିନ ତଳେ ଜଣେ ମାଓବାଦୀକୁ ଗିରଫ କରିଥିଲା ମାଲକାନଗିରି ପୋଲିସ । ମାଓବାଦୀ ନାଁରେ ବନ୍ଧୁକ ମୁନରେ ଗ୍ରାମବାସୀଙ୍କଠାରୁ ବଟି ଆଦାୟ କରିବା ସହ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ପୋଲିସ ଜଣେ ମାଓବାଦୀକୁ ଗିରଫ କରିଥିଲା । ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଗିରଫ ମାଓ ନେତାଙ୍କ ବିଜେଡି ଲିଙ୍କ ଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କରିଛି ଜିଲ୍ଲା କଂଗ୍ରେସ । ଏହି ଅଭିଯୋଗକୁ ଭିତ୍ତିହୀନ କହିଛି ବିଜେଡି ।
ସୂଚନାଅନୁସାରେ, ଚିତ୍ରକୋଣ୍ଡା ବ୍ଲକ୍ ସ୍ଵାଭିମାନ ଅଞ୍ଚଳର ଜାନବାଇ ଗାଁର ତପନ ଶାହା । ତପନକୁ ପୋଲିସ ଆନ୍ଧ୍ରପ୍ରଦେଶ ଗାଳିବନ୍ଧା ଗାଁରୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ନୀତେଶ ଖୁନୀ ସୂଚନା ଦେଇଥିଲେ । ମାଓନେତା ତପନ ସାହାଙ୍କ ଗିରଫଦାରି ଏବେ ରାଜନୈତିକ ରୂପ ନେଇଛି । କଂଗ୍ରେସ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛି । ତପନ ଶାହା ସ୍ବାଭିମାନ ଅଞ୍ଚଳରେ ବିଜେଡି ପକ୍ଷରୁ କାର୍ଯ୍ୟ କରୁଥିଲେ । ଗତ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ରାଜନୀତି ସଭାରେ ଯୋଗ ଦେବା ସହ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ସହ ଗୋଟିଏ ମଞ୍ଚରେ ବସିବାର ଫଟୋ ଦେଖାଇ ମାଓ ନେତାଙ୍କ ସହ ବିଜେଡିର ଲିଙ୍କ ରହିଥିବା ଅଭିଯୋଗ କରିଛି କଂଗ୍ରେସ ।
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଯୁବ ନେତା ଶ୍ରୀନିବାସ ରାଓ, ଇଶାକ୍ ଖୋସଲା ପ୍ରମୁଖ ଏହି ଅଭିଯୋଗ କରିଛନ୍ତି । ବିଜେଡି ଗଣତାନ୍ତ୍ରିକ କଥା କହୁଥିବାବେଳେ ଗଣତାନ୍ତ୍ରିକ ବିରୋଧୀ ତତ୍ତ୍ଵ ଏବଂ ମାଓବାଦୀଙ୍କୁ ସିଧାସଳଖ ସହାୟତା କରୁଥିବା କଂଗ୍ରେସ ଅଭିଯୋଗ କରିଛି । ପୂର୍ବତନ ଜିଲ୍ଲାପାଳ ଆର୍ ଭିନିଲ କ୍ରିଷ୍ଣାଙ୍କ ଅପହରଣର ମାଷ୍ଟର ମାଇଣ୍ଡ ରହି ଆଜୀବନ ସଜା ପରେ ୨୦୧୬ ମସିହାରେ ଜାମିନରେ ଆସିଲା ପରେ ଶାସକ ବିଜେଡି ଦଳରେ ନିଜକୁ ସାମିଲ କରିଥିଲେ ଏ ବ୍ୟକ୍ତି । ସେହି ଅଞ୍ଚଳରେ ଆଦିବାସୀଙ୍କୁ ପ୍ରତାରଣା କରିବା ସହ ଅର୍ଥ ହଡ଼ପ କରିବା ସହ ଚିତ୍ରକୋଣ୍ଡା ବ୍ଲକ ଜନୈକ ଯନ୍ତ୍ରୀଙ୍କ ସହ ମିଶି ଧୂଳିପୁଟ, ପାପରମେଟଲା ପ୍ରଭୃତି ଅଞ୍ଚଳରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଠିକା କାମରେ ଅର୍ଥ ହେରଫେର କରିଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ ।
ତପନ ବିଏସ୍ଏଫ୍ ଯବାନମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର, ଗରୀବ ଆଦିବାସୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଲୁଟ ଭଳି ବହୁ ଅଭିଯୋଗରେ ଲିପ୍ତ ଥିବା ସ୍ଵୀକାର କରିଥିବାବେଳେ ଏଭଳି ଏକ ଅଗଣତାନ୍ତ୍ରିକ ବ୍ୟକ୍ତିଙ୍କୁ ବିଜେଡି କିପରି ହାତବାରିସୀ କରି ନିର୍ବାଚନ ବୈତରଣୀ ପାର କରିଛି । ବିଜେଡିର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛି କଂଗ୍ରେସ । ବିଜେଡିର ଏ ଅଭିଯୋଗ ଭିତ୍ତିହୀନ । ସ୍ବାଭିମାନ ଅଞ୍ଚଳ ବିକାଶରେ ସରକାରଙ୍କ ଫୋକସ ରହିଛି । ଯଦି ଜଣେ ବ୍ୟକ୍ତି ବିଜେଡିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବ ତାକୁ ନେଇକି କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ମାନସ ମାଡକାମି । ତେବେ କଂଗ୍ରେସର ଏହି ଅଭିଯୋଗ ପରେ ଆଗାମୀ ଦିନରେ ଏହି ବୟାନବାଜୀ କେଉଁ ଦିଗ ଆଡେ ଗତି କରିବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ମାଲକାନଗିରି