ମାଲକାନଗିରି: ଆଧୁନିକ ଯୁଗର ମଣିଷ ପୁରାତନ ସଭ୍ୟତାକୁ ଭୁଲି ଦୁଇପାଦ ଆଗକୁ ଚାଲି ଯାଇଛି ସତ, ହେଲେ ପ୍ରାଚୀନ ବଣ୍ଡା ଜନଜାତି ଆଜିବି ସେହି ପୁରୁଣା ଅଦଳ ବଦଳ ପ୍ରଥାରେ ଅଟକିଯାଇଛି। ଏଠି ବିକାଶର ଶବ୍ଦ ପହଞ୍ଚି ପାରିନଥିବା ବେଳେ ଶୁଭୁଛି କେବଳ ପ୍ରକୃତିର ନୀରବ ଶବ୍ଦ । କାରଣ ଏ ହେଉଛି ସେହି ରାଇଜ ଯେଉଁଠି ହାଟ ବଜାରରେ ସବୁକିଛି ମିଳେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡେନାହିଁ। କେବଳ ଘରୁ ଆଣିଥିବା ଜିନିଷ ପତ୍ରରେ ହୋଇଥାଏ ଅଦଳ ବଦଳ।
ସକାଳର ସୂରୁଜ ଉଇଁବା ମାତ୍ରେ ନିଜନିଜ କାମରେ ବାହାରି ପଡନ୍ତି ଏହି ବଣ୍ଡା ଜାତିର ମଣିଷ। ଏଠାରେ କାହାର ମୁହଁରେ ଚିନ୍ତାର ଆଭାଷ ନାହିଁ। ସଲପ ଟିକେ ମାରିଦେଇ ନାଚ ଗୀତରେ ମସଗୁଲ ସମସ୍ତେ। ଡୁବୁ ଡୁବୁ ବାଦ୍ୟର ତାଳେ ତାଳେ ବଣ୍ଡା ଗୀତରେ ମସଗୁଲ ଆଦିମ ଜନଜାତିର ମଣିଷ। ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲାର ସେଇ ଇଲାକା ଯେଉଁଠି ବାସ କରନ୍ତି ବଣ୍ଡା ଜନଜାତିର ଲୋକେ। ରବିବାର ମୁଣ୍ଡିଗୁଡା ହାଟରେ ଏମାନେ ଏକାଠି ହୁଅନ୍ତି। ନିଜ ନିଜ ବାଡିରେ ଲାଗି ଥିବା ଶସ୍ୟ ଓ ପନିପରିବା ନେଇ ସେମାନେ ହାଟକୁ ଆସନ୍ତି। ପୁଣି ଏଠାରୁ ହିଁ ନିଜର ଆବଶ୍ୟକୀୟ ଜିନିଷ ପତ୍ର ଅଦଳ ବଦଳ କରି ଫେରିଯାଆନ୍ତି ନିଜର କୂଟିଆକୁ ।
ଏହା ହେଉଛି ବଣ୍ଡା ଜନଜାତିର ଏକ ପ୍ରାଚୀନ ପରମ୍ପରା। ଅଦଳ ବଦଳ ପ୍ରଥାରେ ବଞ୍ଚିଥାନ୍ତି ଏମାନେ। ହେଲେ ଏହି ନୀରିହ ଲୋକ ପ୍ରାୟ ସମୟରେ ବଜାରରେ ଠକାମିର ଶିକାର ହୋଇଥାନ୍ତି। ଦାମିକିଆ ଜିନିଷ ନେଇ ଦୋକାନୀ ସେମାନଙ୍କୁ କମ ଦାମର ଜିନିଷ ଧରାଇଦେଉଥିବା ଦେଖିବାକୁ ମିଳୁଛି। ପରିବା ପତ୍ରକୁ ଛାଡିଦେଲେ ଅନ୍ୟସବୁ ପାଇଁ ଅର୍ଥ ଦେବାକୁ ପଡିଥାଏ ବଣ୍ଡାମାନଙ୍କୁ। ଅନ୍ୟପଟେ ଏପରି ଅଦଳ ବଦଳ ପ୍ରଥାରେ ବିଶ୍ବାସ କରୁଥିବା ବଣ୍ଡାମାନଙ୍କୁ ପ୍ରଶାସନ ସଚେତନ କରିବାରେ ବିଫଳ ହୋଇଛି।
ତେବେ ଏହି ନୀରିହ ବଣ୍ଡାମାନଙ୍କ ଚଳଣି ଖୁବ ନିଆରା। ନା ଏଠି ସ୍ୱାର୍ଥ ଅଛି ନା ରାଗ ରୁସା। ନିଜନିଜ ଭିତରେ ଅଦଳ ବଦଳ କରି ଏମାନେ ନିଜ ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ