କୋରାପୁଟ: ପୋଖରୀରେ ବୁଡି 2 ଶିଶୁଙ୍କ ମୃତ୍ୟୁ ଘଟିଛି l ଲମତାପୁଟ ବ୍ଲକ ତୁଷୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସେହି ଗ୍ରାମର ଅର୍ଜୁନ କିର୍ଷାଣୀଙ୍କ ପୁଅ ଅମୀର କିର୍ଷାଣୀ ଓ ଲବ କିର୍ଷାଣୀଙ୍କ ପୁଅ ପୁପିନ୍ଦର କିର୍ଷାଣୀଙ୍କ ଜୀବନ ଯାଇଛି । ତେବେ ସବୁ ଦିନ ଭଳି ଆଜି ବି ସେମାନେ ପୋଖରୀ ପାଖରେ ଖେଳୁଥିଲେ। ସେହି ସମୟରେ ହଠାତ ଉଭୟ ପାଣି ଭିତରକୁ ପଶି ଯାଇଥିଲେ l ଏସବୁ ଦେଖିବା ପରେ ନିକଟରେ ଉପସ୍ଥିତ ଥିବା ଆଉ ଜଣେ ପିଲା ଜୋରରେ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲା। ପାଟି ଶୁଣି ପୋଖରୀ ପାଖରେ କାମ କରୁଥିବା କିଛି ଲୋକ ଦୌଡ଼ି ଆସି ପୋଖରୀ ଭିତରେ ଖୋଜା ଖୋଜି କରିଥିଲେ l
ବହୁ ସମୟ ଖୋଜା ଖୋଜି କରିବା ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି l ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି l ଗତ କିଛିଦିନ ପୂର୍ବେ ଠିକ ଏହିପରି ଭାବେ ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମ ନିକଟ ପୋଖରୀରେ ଜୀନୁ ବଡ଼ନାୟକଙ୍କ 5 ବର୍ଷର ପୁଅ ଯୋଗେଶର ଜୀବନ ଯାଇଥିଲା। ସେହିପରି 10 ବର୍ଷର ଝିଅ ସନ୍ତୋଷୀ ମଧ୍ୟ ପୋଖରୀରେ ବୁଡି ମୃତ୍ଯୁବରଣ କରିଥିଲା l ତେବେ ଗାଁ ନିକଟବର୍ତ୍ତୀ ନିଜ ବିଲକୁ ଜୀନୁ କାମ କରିବାକୁ ଯାଇଥିଲେ। ସେହି ସମୟରେ ବାପାଙ୍କ ସହିତ ସେଠାକୁ ଉଭୟ ଭାଇ ଭଉଣୀ ମଧ୍ୟ ଯାଇଥିଲେ । ତେବେ ଜୀନୁ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀ ଆଡକୁ ଚାଲିଯାଇଥିଲେ l
ଏହା ମଧ୍ୟ ପଢନ୍ତୁ...ଗାଁକୁ ଫେରିଲା ମୃତଦେହ: ଦାଦନ ଖଟିବାକୁ ଯାଇ ଗଲା ଜୀବନ, ୨ମହଲା ଉପରୁ ପଡି ଶ୍ରମିକ ମୃତ
କିଛି ସମୟ ପରେ ପୁଅ ଯୋଗେଶ ଓ ଝିଅ ସନ୍ତୋଷୀକୁ ପାଖରେ ନ ପାଇ ଜୀନୁ ଦୁଇଜଣଙ୍କୁ ଖୋଜା ଖୋଜି କରିଥିଲେ । କିନ୍ତୁ ଅନେକ ସମୟ ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳିନଥିଲା । ତେବେ ଅନେକ ସମୟ ବିତିଯିବା ପରେ ସ୍ଥାନୀୟ ଲୋକମାନେ ପୋଖରୀରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ l ହେଲେ ସେତେବେଳକୁ ଦୁଇ ଭାଇ ଭଉଣୀଙ୍କର ଜୀବନ ଚାଲିଯାଇଥିଲା l ଦୁଇ ନିଷ୍ପାପ କୋମଳମତି ଶିଶୁଙ୍କ ଏପରି ଏକ ଅଭାବନୀୟ ସ୍ଥିତିରେ ମୃତ୍ୟୁ ଘଟିବା ପରେ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
ଇଟିଭି ଭାରତ, କୋରପୁଟ