କୋରାପୁଟ: ବିଶ୍ବ ଜାଣିଲା ଓଡିଆ ଆଦିବାସୀଙ୍କ ଜୀବନଶୈଳୀ । ଜି20 ଶିଖର ସମ୍ମିଳନୀରେ ଯୋଗ ଦେଇ ଆଦିବାସୀଙ୍କ ଜୀବନଶୈଳୀ ଓ ମିଲେଟ ମିଶନର ବିଷୟରେ ତଥ୍ୟ ଉପସ୍ଥାପନା କରିଛନ୍ତି କୋରାପୁଟର ଆଦିବାସୀ ମହିଳା ତଥା ମାଣ୍ଡିଆ ଚାଷୀ ରାଇମତି ଘିଉରିଆ । ମିଲେଟ ଶସ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖି ଓଡ଼ିଶା ଫେରିଛନ୍ତି ରାଇମତି ଜଣାଇଛନ୍ତି । ସେଠାରେ ସେ ମିଲେଟ୍ ମିଶନ ଦ୍ବାରା ଆଦିବାସୀମାନେ କେତେ ଉପକାରିତା ପାଇଛନ୍ତି ତାହା ଉପସ୍ଥାପନା କରିଥିଲେ । ସେ ଚାଉଳ କିସମର 72ଟି ପାରମ୍ପରିକ ବିହନ ସାଙ୍ଗକୁ 30 ପ୍ରକାରର ମାଣ୍ଡିଆ ଶସ୍ୟ ସଂରକ୍ଷଣ କରିଛନ୍ତି । ବିଶ୍ବ ନେତାମାନେ ରାଇମତିଙ୍କ ଷ୍ଟଲ୍ରେ ଶସ୍ୟ ଦେଖି ବେଶ ଖୁସି ପ୍ରକାଶ କରିଥିଲେ ।
ଅନ୍ୟପଟେ ପାରମ୍ପରିକ ଧାନ ଓ ମାଣ୍ଡିଆକୁ ସଂରକ୍ଷଣ କରି ଚର୍ଚ୍ଚାରେ କୋରାପୁଟର ଜୟପୁର ପ୍ରକାଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ । ଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ କୃଷି ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସେ ଜିଲ୍ଲା ପାଇଁ ଗୌରବ ଆଣିବା ସହ ରାଜ୍ୟର ଟେକ ରଖିଛନ୍ତି ସେ । ମାଣ୍ଡିଆ ଓ ଧାନ ସଂରକ୍ଷଣ କରିବା , କୋରାପୁଟର ପାରମ୍ପରିକ ଚାଷ ଓ ବିହନ ସମ୍ପର୍କରେ କୃଷି ସମ୍ମିଳନୀରେ ଉପସ୍ଥାପନ କରିଥିଲେ ହାର୍ଷିତା । ବିଶେଷ ଭାବେ ବିଦ୍ୟାଳୟ ସ୍ତରରେ କୃଷି ଚେତନାର କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷି ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସେ ମତ ରଖିଥିଲେ ।
ଧାନର ଉତ୍ପତ୍ତି ସ୍ଥଳି ଓ ମାଣ୍ଡିଆ ଭଳି ବିଭିନ୍ନ ମିଲେଟ ଜାତୀୟ ଶସ୍ୟର ଗନ୍ତାଘର ଭାବେ ପରିଚିତ କୋରାପୁଟ ଜିଲ୍ଲା । ପାରମ୍ପରିକ ବିହନ ସଂରକ୍ଷଣ କ୍ଷେତ୍ରରେ ଅନେକ ଖ୍ୟାତି ଅର୍ଜନ କରିଛି କୋରାପୁଟ । ବିଶେଷ କରି ପାତ୍ରପୁଟ ଗ୍ରାମର କମଳା ପୂଜାରୀ ଶତାଧିକ ପ୍ରକାରର ପାରମ୍ପରିକ ଧାନ ବିହନ ସଂରକ୍ଷଣ କରି ପଦ୍ମଶ୍ରୀ ସମ୍ମାନ ପାଇ ବିଶ୍ବ ଦରବାରରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । କମଳା ପୂଜାରୀଙ୍କ ସଫଳତାର କାହାଣୀ ଓ ପାରମ୍ପରିକ ଧାନ ସଂରକ୍ଷଣ ଦିଗରେ ତାଙ୍କ ଯୋଗଦାନ ସମ୍ପର୍କରେ ଜାଣିବା ପରେ ହର୍ଷିତା ତାଙ୍କୁ ସାକ୍ଷାତ କରି ପ୍ରେରଣା ପାଇଥିଲେ। ଏହାପରେ ପାଠପଢାକୁ ଗୁରୁତ୍ବ ଦେବା ସହ ସମୟ ବାହାର କରି ଛୁଟି ଦିନରେ ବାପାଙ୍କ ସହ ଗାଁ ଗଣ୍ଡାରେ ଚାଷୀଙ୍କ ସହ କଥା ହେଉଥିଲେ। ଚାଷୀ ଚାଷ କରୁଥିବା ବିବିଧ ଚାଷ ପ୍ରଣାଳୀ ଏବଂ ସେମାନେ ବ୍ୟବହାର କରୁଥିବା ପାରମ୍ପରିକ ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଜାତୀୟ ଫସଲର ବିହନ ସମ୍ପର୍କରେ ପଚାରି ବୁଝିବା ଆରମ୍ଭ କରିଥିଲେ ।
ସେହି ଚାଷୀଙ୍କଠାରୁ ପାରମ୍ପରିକ ବିହନ ସଂଗ୍ରହ କରି ନିଜ ଘରେ ଛୋଟଛୋଟ ଡବାରେ ଓ ପ୍ୟାକେଟ୍ରେ ଭର୍ତ୍ତି କରି ସାଇତି ରଖିଛନ୍ତି ସେ । ନିଜ ସଂରକ୍ଷଣ ଗବେଶଣାଗାରର ଆବଶ୍ୟକତାକୁ ପୂରଣ କରିବା ପରେ ସେଥି ମଧ୍ୟରୁ ବଳକା ରହିଯାଇଥିବା ବିହନକୁ ଜମିରେ ସଂରକ୍ଷଣ କରିବା ପାଇଁ ଅନ୍ୟ ଚାଷୀଙ୍କୁ ହର୍ଷିତା ବାଣ୍ଟି ଦେଉଥିବା ମତ ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହର୍ଷିତା 150 ରକମର ପାରମ୍ପରିକ ଧାନ, 53 କିସମର ମାଣ୍ଡିଆ ଓ 7 କିସମର ବିଭିନ୍ନ ମିଲେଟ ଜାତୀୟ ଶସ୍ୟ ର ପାରମ୍ପରିକ ବିହନ ସଂରକ୍ଷଣ କରିପାରିଛନ୍ତି । ଭବିଷ୍ୟତରେ ଜଣେ କୃଷି ବିଜ୍ଞାନୀ ହୋଇ ଏହି ଅଞ୍ଚଳର କୃଷି ଉପରେ ଅଧିକ ଗବେଷଣା କରିବାର ଲକ୍ଷ୍ୟ ରହିଥିବା ହର୍ଷିତା । ଭୟ ହର୍ଷିତା ଓ ରାଇମତିଙ୍କ ସଫଳତା ପରେ କୋରାପୁଟ ଜିଲ୍ଲାରେ ଧାନ ଓ ମାଣ୍ଡିଆକୁ ନେଇ ଚାଲିଥିବା ଗବେଷଣା ତଥା ଉତ୍ପାଦନର ଧାରା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା ସଂଚରିତ ହୋଇଛି ।
ଇଟିଭି ଭାରତ, କୋରାପୁଟ