କୋରାପୁଟ: ଜିଲ୍ଲାର ନାରାୟଣପାଟଣା ଅଞ୍ଚଳରେ ଆଦିବାସୀମାନେ ଚାଷ କରୁଥିବା ଜମିକୁ ହଡପ କରାଯାଇ ଆଦିବାସୀଙ୍କୁ ଭୂମିହୀନ କରାଯାଇଛି । ଏହି ଅଭିଯୋଗରେ ଚାଷୀ ମୂଲିଆ ଆଦିବାସୀ ସଂଘର ନେତୃତ୍ବ ନେଇ ଜେଲ ଯାଇଥିବା ନାଚିକା ଲିଙ୍ଗାଙ୍କୁ ଚଳିତ ବର୍ଷର ରବି ରାଏ ସମ୍ମାନ ପାଇଁ ଜିଲ୍ଲାରେ ସମ୍ବର୍ଦ୍ଧନା ଦିଆଯାଇଛି ।
କୋରାପୁଟ ଆଦିବାସୀ ସଂଗ୍ରହାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେବା ସମୟରେ ସେ ହିଂସାର ମାର୍ଗ ଅବଲମ୍ବନ କରନ୍ତି ବୋଲି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ହିଂସାରେ ବିଶ୍ବାସ କରନ୍ତି ନାହିଁ ଓ କାହାକୁ ହତ୍ୟା କରିନାହାଁନ୍ତି ବା କାହାରି ହତ୍ୟାକୁ ସ୍ବଚକ୍ଷୁରେ ଦେଖିନାହାଁନ୍ତି ବୋଲି ସଭାରେ କହିଛନ୍ତି । ତାଙ୍କ ଉପରେ 36ଟି କେସ୍ ଲାଗିଥିବାବେଳେ 35ଟି କେସ୍ରେ ଦୋଷମୁକ୍ତ ହୋଇଯାଇଛନ୍ତି । ତେବେ ସେ ଗୋଟିଏ କେସ୍ରେ ଗତ କିଛିଦିନ ପୂର୍ବେ ଜାମିନ ପାଇଥିବା ତାଙ୍କ ଓକିଲ ଗୁପ୍ତ ପ୍ରସାଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଲୋହିଆ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରତିବର୍ଷ ସାଧାରଣ ଲୋକଙ୍କ ହିତ ନିମନ୍ତେ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କୁ ପୂର୍ବତନ ବାଚସ୍ପତି ରବି ରାଏଙ୍କ ସ୍ମୃତିରେ ସ୍ଥାପିତ ରବି ରାଏ ସମ୍ମାନ ପ୍ରଦାନ କରାଯାଏ । ଏହି କ୍ରମରେ ଚଳିତ ବର୍ଷ ନାଚିକା ଲିଙ୍ଗାଙ୍କୁ ଏହି ସମ୍ମାନ ପ୍ରଦାନ କରିବା ପାଇଁ ଚୟନ କରାଯାଇଥିବା ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ ଜଣାଇଛନ୍ତି । ବରିଷ୍ଠ ଅବସରପ୍ରାପ୍ତ ଇଞ୍ଜିନିୟର ନୃସିଂହନାଥ ପାଣିଗ୍ରାହୀଙ୍କ ସମେତ ରବି ରାଏ ସ୍ମୃତି ଫାଉଣ୍ଡେସନର ସମ୍ପାଦକ ଦେବ ପ୍ରସାଦ ରାଏ ଓ ବିଶିଷ୍ଟ ସାମାଜିକକର୍ମୀ ବିଜୟ ଉପାଧ୍ୟାୟ ନାଚିକା ଲିଙ୍ଗାଙ୍କ ଆନ୍ଦୋଳନ ଓ ବ୍ୟକ୍ତିତ୍ବ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ