ଝାରସୁଗୁଡା: ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆରମ୍ଭ କରାଗଲା ପିସିଭି-10 ଟୀକାକରଣ ଯୋଜନା । ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି ଟିକା ଦିଆଯାଉଥିବାବେଳେ ଏହା ଶିଶୁମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ବର୍ଷକ ମଧ୍ୟରେ ରାଜ୍ୟର 8 ଲକ୍ଷ ଶିଶୁଙ୍କୁ ଏହି ଟିକା ଦିଆଯିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହାକୁ ଝାରସୁଗୁଡାରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦଘାଟନ କିରଛନ୍ତି ।
ବର୍ତ୍ତମାନ ରାଜ୍ୟରେ 88 ହଜାର 4 ଶହ ପିସିଭି ଟିକା ଡୋଜ ଗଚ୍ଛିତ ରହିଥିବା ଜଣାପଡିଛି । ଏହି ଟୀକାକରଣ ଦ୍ବାରା ଅପପୁଷ୍ଟିରେ ଶିକାର ଓ ଦୁର୍ବଳ ଛୋଟ ଶିଶୁମାନଙ୍କୁ ନିମୋନିଆ, ଫୁସଫୁସ ଜନିତ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିବାବେଳେ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି । ଆଜିର ଏହି ଉଦଘାଟନ ଉତ୍ସବରେ ସ୍ବାସ୍ଥ୍ୟ ସଚିବ,ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକଙ୍କ ସହ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ଓ ସିଡିଏମଓମାନେ ଭର୍ଚ୍ଚୁଆଲି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ