କୋରାପୁଟ: ବିଦ୍ୟାଳୟ ମଧ୍ୟରେ ଆଦିବାସୀ ପରମ୍ପରା ଓ ସାଂସ୍କୃତିକୁ ବଞ୍ଚାଇ ରଖିବାକୁ ଅଭିନବ ପ୍ରୟାସ । ଆଦିବାସୀ ଜୀବନଧାରାରେ ବ୍ୟବହାର ହେଉଥିବା ବିଭିନ୍ନ ବାଦ୍ୟଯନ୍ତ୍ର ସମେତ ମହିଳାମାନେ ବ୍ୟବହାର କରୁଥିବା ଟଙ୍କା ପଇସାରେ ପ୍ରସ୍ତୁତ ଗହଣା ଓ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ପୂର୍ବରୁ ବ୍ୟବହାର ହେଉଥିବା ଶିଆଳି ପତ୍ରରେ ତିଆରି ଛତଡି ଓ ତରଲା ଆଦିକୁ ନେଇ ଖୋଲାଯାଇଛି ସମ୍ପଦ ଗୃହ । ସେମିଳିଗୁଡା ବ୍ଲକର ତେନ୍ତୁଳିଗୁଡା ଭଳି ସମୁଦାୟ ୨୦ଟି ବିଦ୍ୟାଳୟରେ ଏନଇଜି ଫାୟାର ସଂସ୍ଥାର ସହଯୋଗରେ ଏଭଳି ମ୍ୟୁଜିୟମ ଖୋଲାଯାଇଛି ।
ସମ୍ପଦ ଗୃହରେ ରହିଛି ଆଦିବାସୀ ସଂସ୍କୃତି ଓ ପରମ୍ପରାର ପରିଚୟ: ଏନଇଜି ଫାୟାର ସଂସ୍ଥା ପକ୍ଷରୁ ବିଦ୍ୟାଳୟ ଗୁଡ଼ିକରେ ଖୋଲାଯାଇଥିବା ମ୍ୟୁଜିୟମରେ ଢାମ୍ପ, ଧୁର୍ମୁଶ, ବଂଶୀ ଓ ଡୁଙ୍ଗୁଡୁଙ୍ଗା ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ସମେତ ପୂର୍ବରୁ ଆଦିବାସୀମାନେ ଚାଷବାସ କାର୍ଯ୍ୟରେ ବ୍ୟବହାର କରୁଥିବା ଉପକରଣ ମଧ୍ୟ ସ୍ଥାନ ପାଇଛି । ମହିଳାମାନେ ବ୍ୟବହାର କରୁଥିବା ଟଙ୍କା ପଇସାରେ ତିଆରି ଗହଣା ଓ ବର୍ଷାରୁ ନିଜକୁ ରକ୍ଷା କରିବା ପାଇଁ ପାରମ୍ପରିକ ଭାବେ ଆଦିବାସୀ ମହିଳା ମାନେ ପୂର୍ବରୁ ବ୍ୟବହାର କରୁଥିବା ଶିଆଳି ପତ୍ରରେ ତିଆରି ଛତଡି ଓ ତରଲା ପ୍ରଭୃତିକୁ ମଧ୍ୟ ଏହି ମ୍ୟୁଜିୟମରେ ସଂଗ୍ରହ କରି ରଖାଯାଇଛି । ସେମିଳିଗୁଡା ବ୍ଲକର ତେନ୍ତୁଳିଗୁଡା ଭଳି ସମୁଦାୟ ୨୦ଟି ବିଦ୍ୟାଳୟରେ ଏନଇଜି ଫାୟାର ସଂସ୍ଥାର ସହଯୋଗରେ ଏଭଳି ମ୍ୟୁଜିୟମ ଖୋଲାଯାଇଥିବା ସଂସ୍ଥାର ସଂଯୋଜକ ଭାବେ କାମ କରୁଥିବା ସୁରେଶ ଖରା ସୂଚନା ଦେଇଛନ୍ତି ।
ବିଦ୍ୟାଳୟରେ ପିଲାଙ୍କୁ ଜନଜାତି ସଂସ୍କୃତିର ପାଠ ପଢ଼ାଉଛନ୍ତି ଆଦିବାସୀ ମହିଳା: ନିଜ ଘରେ କୌଣସି ଏକ କୋଣରେ ରହି ନଷ୍ଟ ହୋଇଯିବା ଅପେକ୍ଷା ବିଦ୍ୟାଳୟ ଭଳି ଏକ ଶିକ୍ଷା ଗ୍ରହଣ କରିବାର ସ୍ଥାନରେ ନିଜ ସାଂସ୍କୃତିକ ସମ୍ପଦକୁ ସୁରକ୍ଷିତ ଭାବେ ରଖିବାକୁ ଶ୍ରେୟଷ୍କର ଭାବି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ଗ୍ରାମବାସୀ । ପୂଜା ପାର୍ବଣ ସମୟରେ ମହିଳା ମାନେ ବିଦ୍ୟାଳୟରେ ସାଇତି ରଖିଥିବା ପଇସା ଗହଣାକୁ ଘରକୁ ନେଇ ପିନ୍ଧିଥାନ୍ତି । ତେବେ ପର୍ବ ସରିବା ପରେ ପୁଣିଥରେ ଆଣି ବିଦ୍ୟାଳୟରେ ରଖିଦେଉଛନ୍ତି । ତେବେ ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ଜନଜାତି ସଂସ୍କୃତିର ଗବେଷଣା କେନ୍ଦ୍ର ପାଲଟିଛି । ତେନ୍ତୁଳିଗୁଡାର ମୁଲା ଦଳାଇଙ୍କ ଭଳି ଆଦିବାସୀ ମହିଳାମାନେ ନିଜେ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ଛତଡି ଓ ତରଲା ଭଳି ପ୍ରଦର୍ଶିତ ବିଭିନ୍ନ ଆଦିବାସୀ ସାମଗ୍ରୀ ବିଷୟରେ ବୁଝାଇଦେଉଛନ୍ତି । ତେବେ ଏଭଳି କରି ନିଜ ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ ସହଯୋଗ କରିପାରୁଥିବାରୁ ସେମାନେ ମଧ୍ୟ ଖୁସି ଅନୁଭବ କରୁଛନ୍ତି ।
ମାତୃଭାଷା ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟାରତ ଅନେକ ସଂଗଠନ: ପିଲାମାନେ ନିଜସ୍ୱ ମାତୃଭାଷାରେ ଅଧ୍ୟୟନ କଲେ ପାଠକୁ ବୁଝିବା ସହଜ ହେବ ବୋଲି ବିଭିନ୍ନ ଗବେଷଣାରେ ପ୍ରକାଶ ପାଇଛି । ଏନେଇ ବିଭିନ୍ନ ସଂଗଠନ କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାରେ କାର୍ଯ୍ୟ କରି ଭାଷା ବଞ୍ଚାଇବା ସହ ପିଲାଙ୍କ ମଧ୍ୟରେ ପାଠ୍ୟ ପୁସ୍ତକ ମାଧ୍ୟମରେ ଦିଆଯାଉଥିବା ଶିକ୍ଷା ଗ୍ରହଣ କରିବାର ପଥ ସୁଗମ କରିଛନ୍ତି । ମାତୃଭାଷା ତଥା ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଭଳି ଦେଶିଆ ଭାଷାରେ ଦିଆଯାଉଥିବା ବାର୍ତ୍ତା ସମସ୍ତଙ୍କ ପାଇଁ ସହଜରେ ବୁଝିବାରେ ସହାୟକ ହୁଏ । ତେବେ ଦେଶିଆ ଭାଷାରେ ବାର୍ତ୍ତାକୁ ଆକର୍ଷଣୀୟ ଢଙ୍ଗରେ ରଚନା କରିବା, ତାକୁ ସଙ୍ଗୀତ ପ୍ରଦାନ କରିବା ପ୍ରଭୃତି କାର୍ଯ୍ୟ କଷ୍ଟକର ବ୍ୟାପାର ହେଲେ ମଧ୍ୟ, ସାମୁହିକ ହିତରେ ହେଉଥିବାରୁ ଏହାର ସଫଳତା ସମସ୍ତ କଷ୍ଟକୁ ଲାଘବ କରିବାର ସାହସ ପ୍ରଦାନ କରୁଥିବା ମତ ରଖିଛନ୍ତି ଏନଇଜି ଫାୟାର ସଂସ୍ଥାର ସଂଯୋଜକ । କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ ଆନୁକୁଲ୍ୟରେ ଗତ ଅନେକ ବର୍ଷ ଧରି ଜିଲ୍ଲାର ବିଭିନ୍ନ ଆଦିବାସୀ ଭାଷାରେ ପିଲାଙ୍କ ଶିକ୍ଷା ଗ୍ରହଣରେ ସୁବିଧା ଆଣିବା ପାଇଁ ପ୍ରାଇମର ପ୍ରସ୍ତୁତ କରାଯାଇଛି । ଶ୍ରେଣୀଗୃହରେ ପିଲାଏ ନିଜ ମାତୃଭାଷାରେ ପାଠ ପଢିବା ଦ୍ବାରା ସେମାନଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ହେବାସହ, ବ୍ୟବହାରରେ ବୃଦ୍ଧି ଘଟିବ ବୋଲି ତେନ୍ତୁଳିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁବାସିନୀ ଚେଟ୍ଟୀ ମତ ରଖିଛନ୍ତି । ତେବେ ମାତୃଭାଷା ଭିତ୍ତିକ ଶିକ୍ଷା ପ୍ରଦାନ କରିବା ସମୟରେ ପିଲାଙ୍କ ପାଖରେ ନିଜ ସଂସ୍କୃତିକୁ ବହନ କରିଥିବା ବିଭିନ୍ନ ସାମଗ୍ରୀ ଥିବାରୁ ସେମାନଙ୍କ ମନରେ ଶିଖିବାର ଆଗ୍ରହ ଦ୍ବିଗୁଣିତ ହେଉଥିବା ସେ ସୂଚନା ଦେଇଛନ୍ତି ।
ତେବେ କୋରାପୁଟ ଡଙ୍ଗର ସଂସ୍କୃତିର ସୁରକ୍ଷା ଦିଗରେ ଏଭଳି ଆଦିବାସୀ ସଂଗ୍ରହାଳୟର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ । ଅନେକ ଆଦିବାସୀ ଅଞ୍ଚଳ ଏପର୍ଯ୍ୟନ୍ତ ଲୋକଦୃଷ୍ଟିର ଅନ୍ତରାଳରେ ରହିଥିବା ଯୋଗୁଁ ଏହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ପ୍ରାୟ ରହିଛି । ତେବେ କୋରାପୁଟ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ଆଦିବାସୀ ଜନଜାତି ବସବାସ କରୁଥିବା ଯୋଗୁଁ ଏହି ଅଞ୍ଚଳର ଆଦିବାସୀ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଆବଶ୍ୟକ । ବର୍ତ୍ତମାନ ଏନଇଜି ଫାୟାର ସଂସ୍ଥା ସହଯୋଗରେ ୨୦ଟି ବିଦ୍ୟାଳୟରେ ଖୋଲା ଯାଇଥିବା ଏହି ସମ୍ପଦ ଗୃହର ସଫଳତାକୁ ଦେଖିବା ପରେ ସାରା ଜିଲ୍ଲାରେ ଏପରି ପଦକ୍ଷେପ ନେବାର ସମ୍ଭାବନା ରହିଥିବା ଏନଇଜି ଫାୟାର ସଂସ୍ଥାର ସଂଯୋଜକ ଆଶା କରିଛନ୍ତି ।
ଇଟିଭି ଭାରତ, କୋରାପୁଟ