କୋରାପୁଟ: ଘର ପରିବାର କଥା ଚିନ୍ତା କରି ଶ୍ରମିକଟିଏ ନିଜ ଭିଟାମାଟି ଛାଡ଼ି ଚାଲି ଯାଆନ୍ତି ପରଦେଶରେ ରୋଜଗାର କରିବାକୁ । ସମାଜରେ ଏମାନଙ୍କୁ ଦାଦନ ଆଖ୍ୟା ଦିଆଯାଏ । ହେଲେ ଏମାନେ ବିଭିନ୍ନ ସମୟରେ ଠକାମିର ଶିକାର ହୁଅନ୍ତି । ହେଲେ ଏମାନଙ୍କ ଦୁଃଖ ବୁଝିବାକୁ କେହି ନଥାଆନ୍ତି । ଶେଷରେ ହତାସ ହୋଇ ଏମାନେ ପୁନଃ ନିଜ ଭିଟାମାଟିକୁ ଫେରିବାକୁ ବାଧ୍ୟ ହୁଅନ୍ତି । କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଜଣେ ଅତ୍ୟାଚାରିତ ଶ୍ରମିକ ଚାଲି ଚାଲି ବାହାରିଛନ୍ତି ଆସାମରେ ପହଞ୍ଚିବେ (man walking from Hyderabad to Assam) ।
ଆସାମାର ଅଜୟ ବୋଦୁଲେ ୭ରୁ ୮ ମାସ ପୂର୍ବରୁ ହାଇଦ୍ରାବାଦକୁ ମିସ୍ତ୍ରୀ କାମ କରି ରୋଜଗାର କରିବାକୁ ଆସିଥିଲେ । ୮ ମାସ ପରେ ଠିକାଦାର ମଜୁରୀ ଦେବା ନାଁ ଧରି ନଥିଲା । ଏତେ ଦିନର ପରଶ୍ରମ ବଦଳରେ ଅଜୟଙ୍କୁ କାଣି କଉଡି଼ଟିଏ ମଧ୍ୟ ମିଳିନଥିଲା । ଶେଷ ହତାସ ହୋଇ ନିଜ ରାଜ୍ୟକୁ ଫେରି ଯିବାକୁ ବାହାରିଲେ ଅଜୟ । ହେଲେ ସେ ଯାଇଥାଆନ୍ତେ ବା କେମିତି । ଘରକୁ ପହଞ୍ଚିବା ପାଇଁ ମଧ୍ୟ ପାଖରେ କିଛି ଟଙ୍କା ଥିବା ଆବଶ୍ୟକ । ହେଲେ ତାହା ମଧ୍ୟ ଅଜୟ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ । ଶେଷରେ ଚିନ୍ତାକଲେ ଘରେ ପହଞ୍ଚିବା ପାଇଁ ଚାଲିଚାଲି ହିଁ ବାହାରିବାକୁ ପଡ଼ିବ ।
ଏଭଳି ଏକ ନିଷ୍ପତ୍ତି ନେଇ ଅଜୟ ବାହାରି ଗତ ୩ ମାସ ହେଲା ଚାଲି ଚାଲି ୬୫୦ କିମି (Assam man walks 650km ) ଅତିକ୍ରମ କରି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ ପହଞ୍ଚିଥିଲେ । ଆସାମ ରାଜଧାନୀ ଗୌହାଟୀ ଯିବା ପାଇଁ ବାଟ ପଚାରି ପଚାରି ଏତିକି ବାଟ ପହଞ୍ଚିବା ପରେ ତାଙ୍କୁ ନରେନ୍ଦ୍ର ଗରଡ଼ା ନାମକ ସ୍ବେଚ୍ଛାସେବୀ ଉଦ୍ଧାର କରିଛନ୍ତି ।
ଏତିକି ବାଟ ପହଞ୍ଚିବା ପାଇଁ ଅଜୟଙ୍କୁ କମ୍ ସହିବାକୁ ପଡ଼ିନାହିଁ । ବାଟରେ କେହି ଦେଲେ ଖାଉଥିଲେ ନହେଲେ ପାଣି ପିଇ ଜୀବନ ବଞ୍ଚାଇଥିଲେ । ଖାଇବାକୁ ମାଗିଲେ ପୁଣି ବିଭିନ୍ନ ସମୟରେ ତାଙ୍କୁ ନାନା ତିରଷ୍କାର ମଧ୍ୟ ଶୁଣିବାକୁ ମିଳିଛି । ପାଖରେ ଟଙ୍କା ନାହିଁ ମୋବାଇଲ ନାହିଁ । ଯାହା ଦ୍ବାରା ସେ ତାଙ୍କ ବନ୍ଧୁ ପରିଜନଙ୍କୁ ଜଣାଇ ପାରିବେ ଯେ ସେ କେଉଁ ଅବସ୍ଥାରେ ଅଛନ୍ତି । ଲକ୍ଷ୍ମୀପୁର ପହଞ୍ଚିବା ମଧ୍ୟରେ ୩ ମାସ ବିତି ଯାଇଛି ତାହା ମଧ୍ୟ ଭାବି ପାରିନାହନ୍ତି ଅଜୟ ।
ତେବେ ସେ ଯାହା ହେଉ ବର୍ତ୍ତମାନ ଅଜୟଙ୍କୁ ଲକ୍ଷ୍ମୀପୁରରେ କିଛି ଆସାମ ଶ୍ରମିକଙ୍କ ସହ ରଖାଯାଇଛି । ଏହି ଶ୍ରମିକମାନେ ରେଳବାଇର ଟନେଲ କାମରେ ନିୟୋଜିତ ଅଛନ୍ତି । ସେଠାରେ ମଧ୍ୟ ଅଜୟ ୩ ଦିନ ବିତାଇ ସାରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିବାର ସହ କୌଣସି ଯୋଗାଯୋଗ ହୋଇପାରିନାହିଁ । ଖୁବଶୀଘ୍ର ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ବେଚ୍ଛାସେବୀ ଓ କାର୍ଯ୍ୟରତ ଶ୍ରମିକ ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ