କୋରାପୁଟ: ଅଦିନିଆ କୁଆପଥର ବର୍ଷା ଓ ଜଳବାୟୁରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଆମ୍ବ ଚାଷ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ କିଛିମାତ୍ରାରେ ଆମ୍ବ ଫଳିଥିଲେ ମଧ୍ୟ ଲକଡାଉନ କାରଣରୁ ତାହାର ବିକ୍ରିକୁ ନେଇ ଚିନ୍ତାରେ କୋରାପୁଟ ଚାଷୀ ।
ଚଳିତବର୍ଷ ଅଦିନିଆ କୁଆପଥର ବର୍ଷା ଓ ଜଳବାୟୁରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଅଧିକାଂଶ ବଉଳ ଆମ୍ବରେ ପରିଣତ ହୋଇପାରିଲା ନାହିଁ ବୋଲି କୋରାପୁଟ ବ୍ଲକ ଅନ୍ତର୍ଗତ ଗୋପାଳପୁଟ ର ଆମ୍ବ ଚାଷୀ ଜଗନ୍ନାଥ ମାଝୀ ଜଣାଇଛନ୍ତି । ଅପରପକ୍ଷରେ ଅନ୍ୟମାନଙ୍କ ଅପେକ୍ଷା କିଛିମାତ୍ରାରେ ଭଲ ଆମ୍ବ ଫଳିଥିବା ବଗିଚାକୁ ଦେଖି ଏହି ଗାଁର ଆଉ ଏକ ଅଗ୍ରଣୀ ଚାଷୀ ଅରଜୁ ହନ୍ତାଳ ମଧ୍ୟ କୋରୋନା ଲକଡାଉନ ସମୟରେ ଗ୍ରାହକଙ୍କ ଅଭାବକୁ ନେଇ ଚିନ୍ତାରେ ପଡିଛନ୍ତି । ଗୋପାଳପୁଟ ସମେତ ପଦ୍ମପୁର ପଂଚାୟତର ଅନେକ ଗ୍ରାମ ଉତ୍ପାଦିତ ଆମ୍ବ ଏକାଠି କରି ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବଜାରକୁ ପଠାଇଥାନ୍ତି ।
ଆମ୍ବ ବ୍ୟବସାୟୀ ମଦନଙ୍କ କହିବାନୁଯାୟୀ ଓଡିଶା ସହିତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ଯାନବାହନ ଚଳାଚଳ ସମସ୍ୟା ନ ସୁଧୁରିଲେ ଯାହାବି ଆମ୍ବ ଫଳିଛି ତାକୁ କେବଳ ସ୍ଥାନୀୟ ବଜାରରେ କମଦାମରେ ବିକ୍ରି କରିବାକୁ ବାଧ୍ୟ ହେବେ । ତେବେ ଅରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଚାଷୀଙ୍କୁ ଏହି ସମସ୍ୟାରୁ ମୁକୁଳାଇବା ପାଇଁ ଅରମାସ ତରଫରୁ କୋରାପୁଟ ଜିଲ୍ଲାର ଦାମନଯୋଡି, ସୁନାବେଡା, କୋରାପୁଟ ଓ ଜୟପୁର ବଜାରରେ ବିକ୍ରି କରିବାର ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ