କୋରାପୁଟ: ଆଜି ହେଉଛି ଶିଶୁ ଦିବସ । ପ୍ରତ୍ୟେକ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସେପଟେ କୋରାପୁଟ ସେଣ୍ଟ୍ସ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ନିଆରା ଢଙ୍ଗରେ ଏହି ଦିବସକୁ ପାଳନ କରାଯାଇଛି । ସ୍କୁଲ ବାହାରେ ମୁକ୍ତ ଆକାଶ ତଳେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିଶୁ ଦିବସର ଆନନ୍ଦ ନେଇଛନ୍ତି ।
ଶିଶୁ ଦିବସ ଅବସରରେ ପିଲାଙ୍କ ଭିତରେ ମିଳିମିଶି ଖେଳିବା ଓ ଖାଇବାର ଆନନ୍ଦ ଆଣିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ଅଭିନବ ଉପାୟରେ ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ଶିଶୁ ଦିବସ ପାଳନ କରିଛନ୍ତି । ଏଥିରେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ନିଜ ଘରୁ ଆଣିଥିବା ବିଭିନ୍ନ ସୁସ୍ବାଦୁ ଜଳଖିଆ ଓ ମିଷ୍ଟାନ୍ନକୁ ପରସ୍ପର ମଧ୍ୟରେ ବାଣ୍ଟି ଖାଇଥିଲେ । ସାଙ୍ଗସାଥୀଙ୍କ ଗହଣରେ କାଟିଥିବା ଏହି କିଛି ସମୟ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିବ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି ।
ସେହିଭଳି ଏପରି ଏକ ମୁକ୍ତ ବାତାବରଣରେ କୌଣସି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ବନ୍ଧା ନହୋଇ ପିଲାମାନେ ନିଜ ଇଚ୍ଛା ମୁତାବକ ଖେଳିବା, ବୁଲିବା ଓ ସାଙ୍ଗସାଥୀଙ୍କ ସହ କଥା ହେବାର ସୁଯୋଗ ପାଇବା ସେମାନଙ୍କୁ ଏକ ଭଲ ଅନୁଭବ ଆଣିଦେବ । ଏକ ମୁକ୍ତ ବାତାବରଣରେ ଶିଶୁ ଦିବସକୁ ପାଳନ କରିବାରେ ସକ୍ଷମ ହୋଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ସାଇ କିରଣ ଜଣାଇଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ କୁନିକୁନି ଶିଶୁଙ୍କ ସହ ଲୁଚକାଳି ଖେଳିବା ଓ ସାଥି ହୋଇ ଖାଇବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ