କୋରାପୁଟ: କୋଟିଆ ପ୍ରସଙ୍ଗରେ (Kotia Issue) ସର୍ବୋଚ୍ଚ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ ପଟାଙ୍ଗୀ ବିଧାୟକ । ଶୁକ୍ରବାର କୋଟିଆର ସୀମା (Kotia dispute) ବିବାଦକୁ ନେଇ ଆନ୍ଧ୍ରର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସର୍ବୋଚ୍ଚ କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ ମାସକୁ ଘୁଞ୍ଚାଯାଇଛି । ତେବେ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ (Kotia Potangi MLA Pritam Padhi) ।
ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଆନ୍ଧ୍ର ସରକାର ବାରମ୍ବାର ଅନୁପ୍ରବେଶ ଓ ଏପରିକି ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ କରିବାକୁ ପଛାଇନଥିଲେ । ଏନେଇ ଓଡ଼ିଶା ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ସରକାରଙ୍କ ବିରୁଦ୍ଧରେ ଏକ ଅଦାଲତ ଅବମାନନା ମାମଲା ଦାଏର କରିଥିଲେ । କିନ୍ତୁ ଆନ୍ଧ୍ର ସରକାର ଓଡିଶା ସରକାରଙ୍କ ଏହି କେଶ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ତେବେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଆନ୍ଧ୍ରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନାର କେଶ ବଳବତ୍ତର ରହିବ ଓ ଆସନ୍ତା ଜାନୁଆରୀ ମାସରେ ପୁଣିଥରେ ଶୁଣାଣି କରାଯିବ ବୋଲି ରାୟ ଦେଇଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟର ଏହି ନିର୍ଦ୍ଦେଶକୁ ପଟ୍ଟାଙ୍ଗୀ ବିଧାୟକ ସ୍ବାଗତ କରିଛନ୍ତି । ଏହା କୋଟିଆବାସୀଙ୍କ ପ୍ରଥମ ବିଜୟ ଓ ଆନ୍ଧ୍ର ସରକାର ଆଉ ଏଣିକି ଅନୁପ୍ରବେଶ କରିବାରୁ କ୍ଷାନ୍ତ ରହିବା ଉଚିତ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚର୍ଚ୍ଚା ପରେ ସୀମା ବିବାଦର ସମାଧାନ ହେବା ଆଶା ଉଜ୍ବଳ ହୋଇଛି ବୋଲି ପଟାଙ୍ଗୀ ବିଧାୟକ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ