କୋରାପୁଟ: ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ଭିତରପଡା ନିକଟରେ ଥିବା କର୍ଣ୍ଣକୋଣ୍ଡା ପାହାଡରେ ପ୍ରସ୍ତାବିତ ବକ୍ସାଇଟ ଖଣିର ମାନ ଓ ପରିମାଣ ପରୀକ୍ଷା ପାଇଁ ରାସ୍ତା ନିର୍ମାଣରେ ଲାଗିଥିବା ତ୍ରିବେଣୀ କମ୍ପାନୀର ଏକ ଜେସିବି ମେସିନକୁ ଦୁର୍ବୁତ୍ତ ମାନେ ପୋଡି ଦେଇଛନ୍ତି । ଏହି କାମ ପାଇଁ ବ୍ୟବହୃତ ଆଉ କେତୋଟି ମେସିନଗୁଡିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଥିବା ଜଣା ପଡ଼ିଛି ।
ସୂଚନାଯୋଗ୍ୟ ଯେ, ଏହି ପାହାଡ଼ରେ ଥିବା ୯ ହେକ୍ଟର ପରିମାଣ ଜମିରେ ଥିବା ବକ୍ସାଇଟ ପାଇଁ ମରିଚମାଳ ଗାଁରେ ଓଡିଶା ମିନେରାଲ ଏକ୍ସପ୍ଲରେସନ ଲିମିଟେଡ ଦ୍ବାରା ପରୀକ୍ଷଣ ପାଇଁ ଗତ ଫେବୃଆରୀ ମାସରେ ପ୍ରଶାସନ ଦ୍ବାରା ଏକ ଜନଶୁଣାଣୀ ହୋଇଥିଲା । ସେତେବେଳେ ଏହାକୁ ଅଞ୍ଚଳବାସୀ ବିରୋଧ କରିଥିଲେ । ପରେ ପୁଣି ସହମତି ପ୍ରକାଶ ପାଇବା ପରେ ପରୀକ୍ଷଣ ମେସିନଗୁଡିକ ନେବାପାଇଁ ଗତ ୩ ମାସ ହେବ ଉକ୍ତ ପାହାଡ଼ ଉପରକୁ ରାସ୍ତା ନିର୍ମାଣ ପାଇଁ କାମ ଆରମ୍ଭ କରାଯାଇଥିଲା । ପ୍ରାୟ ୫୦ ପ୍ରତିଶତ କାମ ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁର୍ବୃତ୍ତ ମାନେ ରାସ୍ତା କାମରେ ନିୟୋଜିତ ଜେସିବିରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ଗୋଟିଏ ଜେସିବି ମେସିନ ପ୍ରାୟ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଖଣିକୁ ବିରୋଧ କରି ଏପରି ହୋଇଛି ନା ଏହା ପଛରେ ମାଓବାଦୀଙ୍କ ହାତ ରହିଛି, ତାହା ଅସ୍ପଷ୍ଟ ରହିଛି ।
ଏହି ଅଞ୍ଚଳ ଏକ ମାଓପ୍ରବଣ ଅଞ୍ଚଳ ଭାବେ ପୂର୍ବରୁ ପରିଚିତ । ନାରାୟଣପାଟଣା ଓ ବନ୍ଧୁଗାଁ ଭଳି ଅପହଞ୍ଚ ଅଞ୍ଚଳରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଓ ବିଶେଷ କରି ରାସ୍ତା କାର୍ଯ୍ୟରେ ଲାଗିଥିବା ଓ ଯନ୍ତ୍ରପାତିକୁ ନଷ୍ଟ କରି ମାଓବାଦୀ ପ୍ରତିବାଦ ଜଣାଉଥିଲେ । କିନ୍ତୁ ବିଏସଏଫ ଓ କୋରାପୁଟ ପୋଲିସର ମିଳିତ ଉଦ୍ୟମରେ ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳରେ ଗତ କିଛିବର୍ଷ ଧରି ମାଓବାଦୀଙ୍କ ପକ୍ଷରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ଏହା ସହିତ ଘଟଣାସ୍ଥଳରେ କୌଣସି ପୋଷ୍ଟର କିମ୍ବା ବ୍ୟାନର ନଥିବା ବେଳେ କିଏ ଓ କାହିଁକି ଏପରି ଘଟାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟପଟେ ଏନେଇ ଥାନାରେ ଏତଲା ଦିଆଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ଜେସିବି ଚାଳକ ରତ୍ନ ଗୌଡ଼ଙ୍କ କହିବା ଅନୁସାରେ ସନ୍ଧ୍ୟା ୬ଟା ପରେ ସେ କାମ ସାରି ତଳକୁ ଓହ୍ଲାଇବା ପରେ କେହି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଛନ୍ତି ।
ଇଟିଭି ଭାରତ, କୋରାପୁଟ