କୋରାପୁଟ: ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିରରେ ଲାଗିଲା ନୋଟିସ । ପରିଚାଳନା ଦାୟିତ୍ବ ନେବ ଦେବୋତ୍ତର ବିଭାଗ। ଏ ନେଇ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ତଥା ପୂର୍ବତନ ପ୍ରଶାସକ ଗଦାଧର ପରିଡା କହିଛନ୍ତି ।
ଦେବୋତ୍ତର ବିଭାଗ ହାତକୁ ଯିବ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ବ । ଏ ନେଇ ବ୍ରହ୍ମପୁରସ୍ଥିତ ଅତିରିକ୍ତ ସହକାରୀ ଦେବୋତ୍ତର କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ମନ୍ଦିରରେ ନୋଟିସ ଲାଗିଛି । ଏହାସହ ସାତ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ବର୍ତମାନର ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା, ସହସମ୍ପାଦକ ଜଗବନ୍ଧୁ ସାମଲ ଓ କୋଷାଧ୍ୟକ୍ଷ ସୁଧାକର ପଟ୍ଟନାୟକଙ୍କୁ ସେମାନଙ୍କ ବ୍ୟକ୍ତିଗତ ଆଧାରରେ ସାମିଲ କରାଯାଇଥିବାବେଳେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ , ଅତିରିକ୍ତ ତହସିଲଦାର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତେଡା ନାରାୟଣ ମୂର୍ତିଙ୍କୁ ସଦସ୍ୟ ଭାବେ ନିଆଯାଇଛି । ସାଧାରଣ ଜନତାଙ୍କ ଦ୍ବାରା ଆସନ୍ତା 30 ଦିନ ମଧ୍ୟରେ ଏହି ପ୍ରସ୍ତାବିତ କମିଟିକୁ ନେଇ ଯଦି କିଛି ଅଭିଯୋଗ ଦିଆଯାଏ ତେବେ ତାର ଶୁଣାଣି କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମନ୍ଦିରର ସମ୍ପାଦକ କହିଛନ୍ତି ।
ତେବେ ଦେବୋତ୍ତର ନୀତି ଲାଗୁ ହେଲା ପରେ ବର୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଚାଲି ଆସିଥିବା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟରେ ପରିଚାଳନା କରାଯାଇଛି। ବର୍ତ୍ତମାନ ତାହା ହିନ୍ଦୁରୀତିନୀତିର ଆଇନ ଅନୁସାରେ ଏଣ୍ଡାଓମେଣ୍ଟ ଆକ୍ଟରେ ପରିଚାଳିତ ହେବ ବୋଲି ପରିଡା ସ୍ପଷ୍ଟ କରିଛନ୍ତି । ତେଣୁ ଭବିଷ୍ୟତରେ ମନ୍ଦିରର ସମ୍ପାଦକ ଓ ସଭାପତି ହେବା ପାଇଁ ଆଶା କରିଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଏହି ବିଜ୍ଞପ୍ତି ନିରାଶ ହୋଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ