କୋରାପୁଟ: ସରକାରଙ୍କ ବିଚିତ୍ର ନୀତି ଯୋଗୁଁ ଆଜି ଜୟପୁରସ୍ଥିତ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପଦବୀରେ କିଏ ବସିବେ ସେ ନେଇ ଦୁଇଜଣ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି ।
ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସରେ ଏହି ପଦବୀରେ ପରୀକ୍ଷିତ ଦାସ ଯୋଗ ଦେଇଥିଲେ । ହେଲେ ଜୁଲାଇ ମାସ ୨ ତାରିଖରେ ମାଲକାନଗିରି ପୂର୍ତ୍ତ ବିଭାଗରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ସାହୁଙ୍କୁ ଏହି ପଦବୀକୁ ପଦୋନ୍ନତି କରାଯାଇଥିଲା । ଜୁଲାଇ ମାସ ୨୪ ତାରିଖରେ ପରୀକ୍ଷିତ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ସମୟରେ ଅରୁଣ ଆସି ଯନ୍ତ୍ରୀଙ୍କ ଚୌକିକୁ ଅକ୍ତିଆର କରିଥିଲେ । ପରକ୍ଷିତ ଦାସ ଅଫିସକୁ ଫେରିବା ପରେ ତାଙ୍କ ଚୌକି ଖାଲି ନଥିବା ଦେଖି ସାହୁ ମାଲକାନଗିରିରୁ ରିଲିଭ ନ ହୋଇ ଏଠାରେ ଯୋଗ ଦେବା ଠିକ ନୁହେଁ ବୋଲି ଅଭିଯୋଗ କରିବା ସହ ଟ୍ରିବ୍ୟୁନାଲକୁ ଯାଇଥିଲେ ।
ପରବର୍ତ୍ତୀ ସରକାରୀ ନିର୍ଦ୍ଦେଶ ପାଇବା ପର୍ଯ୍ୟନ୍ତ ଦାସ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ଟ୍ରିବ୍ୟୁନାଲ ରାୟ ଦେବା ପରେ ଦାସ ପୁଣିଥରେ ଚୌକିରେ ବସିବା ପାଇଁ ଅଫିସ ଆସି ପହଞ୍ଚିଥିଲେ । କିନ୍ତୁ ଏହି ପଦବୀକୁ ପଦୋନ୍ନତି ହୋଇ ଆସିଥିବା ଯୋଗୁଁ ପୂର୍ବ ସ୍ଥାନରୁ ରିଲିଭ ହେବା ନ ହେବା ମାନେ ରଖେ ନାହିଁ କହି ସାହୁ ମଧ୍ୟ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ ।
ବର୍ତ୍ତମାନ ସରକାରଙ୍କ ଆସନ୍ତା ଚିଠିକୁ ଅପେକ୍ଷା କରି ଦୁଇଜଣ ଅଧିକାରୀ ଗୋଟିଏ କୋଠରୀରେ ଗୋଟିଏ ପଦବୀକୁ ଦୁଇଟି ଚୌକିରେ ବସି କୁଣ୍ଢେଇ ଧରି ରଖିଥିବା ଦେଖାଯାଇଛି । ପରସ୍ପର ନିଜ ନିଜ ସ୍ଥାନରେ ଠିକ ଥିବା କହୁଥିବା ବେଳେ ସରକାର କିପରି ଏମିତି ଭୁଲ କରି ବସିଲେ ସେ ନେଇ ପ୍ରଶ୍ନ ଉଠିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ