ଭୁବନେଶ୍ବର: ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆବେଦନ ଖାରଜ କରିଛନ୍ତି ଗୁଜରାଟ ହାଇକୋର୍ଟ। ରାହୁଲଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ଆବେଦନ ଖାରଜ ହେଲା ପରେ ସାରା ଦେଶରେ କଂଗ୍ରେସକର୍ମୀ ଓ ବିଭିନ୍ନବର୍ଗର ଲୋକ ଏହାକୁ ନାପସନ୍ଦ କରିଛନ୍ତି । ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ଏକ ରାଲି କଂଗ୍ରେସ ଭବନରୁ ବାହାରି ୟୁନିଟ୍-୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ 1 ଘଣ୍ଟା ଧରି ଛାତ୍ରକଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି ।
ରାହୁଲ ଗାନ୍ଧୀଙ୍କ କଣ୍ଠରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଙ୍ଗିତରେ ଚକ୍ରାନ୍ତ ଚାଲିଛି ବୋଲି କହିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ । ସେ କହିଛନ୍ତି ଯେ, "ଦେଶବାସୀ ଜାଣିଛନ୍ତି, ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଆଜି ନରେନ୍ଦ୍ର ମୋଦୀଙ୍କ ପକେଟ ଭିତରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତାରେ ତାଙ୍କର ବନ୍ଧୁ ଶିଳ୍ପପତିମାନେ ବ୍ୟାଙ୍କରୁ ସାଧାରଣ ଜନତାଙ୍କର ଅର୍ଥ ଲୁଟ୍କୁ ରାହୁଲ ଗାନ୍ଧୀ ପର୍ଦ୍ଦାଫାସ କଲେ। ମୋଦୀ ସରକାରଙ୍କ ଦୁର୍ନୀିତି ଓ ଭ୍ରଷ୍ଟାଚାର ବିରୋଧରେ ଲୋକସଭା ଭିତରେ ଓ ବାହାରେ ରାହୁଲ ଗାନ୍ଧୀ ଶାଣିତ ସ୍ବରରେ ପ୍ରତିବାଦ କଲେ। ବିରୋଧୀଙ୍କ କଣ୍ଠରୋଧ ପାଇଁ ଇଡ଼ି ଓ ସିବିଆଇର ଦୁରୁପୋଯୋଗକୁ ରାହୁଲ ଗାନ୍ଧୀ ପ୍ରତିବାଦ କଲେ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ଦେଶରେ ଅଗଣିତ ଜନସାଧାରଣ ସମର୍ଥନ କଲେ। ଧର୍ମ, ଜାତି, ଖାଦ୍ୟ ଓ ଭାଷାର ରାଜନୀତି ତଥା ଘୃଣାର ସୌଦାଗରମାନଙ୍କୁ ରାହୁଲ ଗାନ୍ଧୀ ବିରୋଧ କଲେ । ଏଣୁ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଚପାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହାସହ ତାଙ୍କୁ ଜେଲଦଣ୍ଡ ଦେବାକୁ ମୋଦୀ ଚକ୍ରାନ୍ତ ଚଳାଇଛନ୍ତି। ସାରାଦେଶ ରାହୁଲଗାନ୍ଧୀଙ୍କ ସହିତ ଅଛି। ମୋଦୀଙ୍କ ଦିନକାଳ ସରିଆସିଲାଣି। ଖୁବ୍ଶୀଘ୍ର ମୋଦୀଙ୍କ ନାଜିବାଦ୍ ଶାସନର ଅନ୍ତ ହେବ।" ବୋଲି କହିଛନ୍ତି ୟାସିର ନୱାଜ।
ଏହା ମଧ୍ୟ ପଢନ୍ତୁ...Delhi Excise Case: ସିସୋଦିଆ ଓ ସହଯୋଗୀଙ୍କ 52 କୋଟି ସମ୍ପତ୍ତି ଜବତ
ଏହାସହ ସେ କହିଛନ୍ତି, "ଭାରତର ଲୋକ ମୋଦୀ ତନ୍ତ୍ରରେ ଅତିଷ୍ଠ ହୋଇଗଲାଣି। ମୋଦୀ ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ଆକ୍ରମଣକୁ କଦର୍ଥ କରି ଯେଉଁ ଷଡ଼ଯନ୍ତ୍ର ହେଉଛି, ତାହାକୁ ଦେଶବାସୀ କ୍ଷମା ଦେବେ ନାହିଁ ।" ରାହୁଲ ଗାନ୍ଧୀଙ୍କ ଉପରେ ଲାଗୁ ହେଉଥିବା ମାମଲାର ପୁନଃବିଚାର ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଷ୍ଟ୍ରିୟ ଛାତ୍ର କଂଗ୍ରେସର ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ଏହି କାର୍ଯ୍ୟକ୍ରମରେ ଯୋଗଦେଇ "ରାହୁଲ ଗାନ୍ଧୀଙ୍କର ବିଜୟ ହେବ ଏବଂ ନରେନ୍ଦ୍ର ମୋଦୀଙ୍କର କାରସାଦି ସଫଳ ହେବ ନାହିଁ" ବୋଲି କହିଛନ୍ତି । ତେବେ ପିସିସି ପକ୍ଷରୁ ମଧ୍ୟ ଆଜି ଅପରାହ୍ନରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପିସିସି ସଭାପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।
ଇଟିଭି ଭାରତ, ଭୁବନେଶ୍ବର